ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ଗିରଫ ଦାବି : ବିଭିନ୍ନ ସ୍ଥାନରେ କାନ୍ଥରେ ପୋଷ୍ଟର ଲଗାଇ ବିରୋଧ

115

କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୀବ ମିତଲଙ୍କ ଗିରଫ ଦାବି । ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସ୍ଥାନରେ ଭିସିଙ୍କୁ ବିରୋଧ କରି ବିଭିନ୍ନ କାନ୍ଥରେ ପୋଷ୍ଟର ମରାଯାଇଛି । ଯେଉଁଥିରେ ଭିସିଙ୍କୁ ଚୋର ବୋଲି ଉଲ୍ଲେଖ ରହିଛି । ତାଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ଦାବି ହୋଇଛି । ତେବେ କିଏ ଏପରି ପୋଷ୍ଟର ଲଗାଇଛି ତାହା ଜଣାପଡିନି । କିଛିଦିନ ପୂର୍ବରୁ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିଲା । ଏବେ କୁଳପତି ଛୁଟିରେ ରହିବା ଘଟଣା ସାମ୍ନାକୁ ଆସିଛି ।

ତେବେ, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ଟଙ୍କା ହେରଫେର କରିବା ତାଙ୍କ ପାଇଁ ବେଶୀ ସମସ୍ୟା ସୃଷ୍ଟି କରିଥିଲା । ଏହି ପ୍ରକଳ୍ପରେ ଥିବା ଟଂକାକୁ ସେ ନିକଟ ସଂପର୍କୀୟଙ୍କ ପାଖକୁ ଦୁଇଟି ପର୍ଯ୍ୟାୟରେ ପଠାଇଥିଲେ । ବିବାଦ ବଢିବା ପରେ ୨୯ ଲକ୍ଷ ଟଙ୍କା ପୁଣି ବିଶ୍ୱବିଦ୍ୟାଳୟ ଆକାଉଣ୍ଟକୁ ଫେରାଇବା ଘଟଣାର ତାଙ୍କ ପାଇଁ ବେଶୀ ଅପମାନଜନକ ସ୍ଥିତି ସୃଷ୍ଟି କରିଥିଲା । ଏଭଳି ସ୍ଥିତିରେ ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ କେତେକ ଜାଗାରେ ପୋଷ୍ଟର ଲଗାଯାଇଛି । ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଫ୍ଲାଇ ଓଭରର ପିଲାରରେ ପ୍ରଫେସର ମିତଲଙ୍କ ଫଟୋ ଥିବା କେତେକ ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ତାଙ୍କର ଗିରଫ ଦାବି ହୋଇଛି ।