ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ବେନାମୀ ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ, ୧୭ଟି କାର ନମ୍ବର ରହିଛି ଉଲ୍ଲେଖ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ । 

1,194

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଏନେଇ ଏକ ଅଜଣା ଚିଠି ପହଞ୍ଚିବା ପରେ ସତର୍କ ହୋଇ ଉଠିଛି ଗୃହ ବିଭାଗ । ଯେଉଁଥିପାଇଁ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଆସିଥିବା ଅଜଣା ଚିଠିରେ ଷଡଯନ୍ତ୍ରର ସାଂଘାତିକ ଘଟଣା ଉଲ୍ଲେଖ କରାଯାଇଛି । କିଛି ସୁପାରୀ କିଲର ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି । ସବୁଠୁ ବଡ କଥା ହେଉଛି, ଏହି ସୁପାରିକିଲରଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯେକୌଣସି ମୁହୂର୍ତ୍ତରେ ଏହି ସୁପାରୀକିଲର ମାନେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ବେନାମୀ ଚିଠିରେ ଉଲ୍ଲେଖ ରହିଛି । ଏହି ଅପରାଧୀ ମାନେ କାରରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ଅନୁସରଣ କରୁଛନ୍ତି । ଏପରିକି ୧୭ଟି କାରର ନମ୍ବର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ୨ଟି କାର ନମ୍ବର ବ୍ୟବହାର ହୋଇପାରେ । ଯେଉଁ କାରର ନମ୍ବର ଚିଠିରେ ରହିଛି । ଏହି ଷଡଯନ୍ତ୍ର ପଛର ମାଷ୍ଟରମାଇଣ୍ଡ ଭାଗପୁର ୱାର୍ଡରେ ରହୁଥିବା ବେଳେ  ତାଙ୍କର କାର ନମ୍ବର ମଧ୍ୟ ଚିଠିରେ ରହିଛି । ନବୀନଙ୍କୁ ହତ୍ୟା କରିବାକୁ ଓଡ଼ିଶାରୁ ଅତ୍ୟାଧୁନିକ ଅସ୍ତ୍ର ସଂଗ୍ରହ କରାଯାଇଛି ବୋଲି ଚିଠିରେ ଦର୍ଶାଯାଇଛି । ତେଣୁ ଏହି ବେନାମୀ ଚିଠି ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।