ବିଜ୍ଞାନ ଇଣ୍ଟରନ୍ୟାସନାଲ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

115

କନକ ବ୍ୟୁରୋ : ସ୍ଥାନୀୟ ଫୁଲ ବାଡ଼ ସ୍ଥିତ ବିଜ୍ଞାନ ଇଣ୍ଟର ନ୍ୟାସନାଲ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ସାମୁହିକ ଗୀତା ପାଠ ମାଧ୍ୟମରେ ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ପ୍ରକାଶ କୁମାର ନାୟକ ପୌରହିତ୍ୟ କରିଥିବା ବେଳେ ହାଟମୁନିଗୁଡା ସ୍ଥିତ ଶ୍ରୀ ରାମ କୃଷ୍ଣ ମିଶନର ସ୍ୱାମୀଜୀ ଗୀତାତ୍ମା ନନ୍ଦ ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ନିଜେ ନିଜର ଭାଗ୍ୟ ନିର୍ମାତା ବୋଲି ହିତ ଉପଦେଶ ଦେବା ସହ ଛୋଟ ଛୋଟ କାହାଣୀ ଓ ସ୍ବାମୀ ବିବେକାନନ୍ଦ ଙ୍କ ବାଣୀ ଅବତରଣ କରି ସମବେତ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବଦ୍ୟାଳୟ , କୋରାପୁଟ ଆଞ୍ଚଳିକ କେନ୍ଦ୍ର ର ଆଞ୍ଚଳିକ ନିର୍ଦ୍ଦେଶିକା ଡକ୍ଟର ଲତିକା ମିଶ୍ର ଉତ୍ତମ ଶିକ୍ଷା ନିମନ୍ତେ ଛାତ୍ର ଛାତ୍ରୀ ଓ ପିତା ମାତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ ବିଦ୍ୟାଳୟକୁ ଏକ ମନ୍ଦିର ଓ ଛାତ୍ର ଛାତ୍ରୀ ତାର ଦେବାଦେବୀ ବୋଲି ସମ୍ବୋଧନ କରିବା ସହ ବିଦ୍ୟାଳୟର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ।

ସଭାପତି ପ୍ରକାଶ କୁମାର ନାୟକ ଉତ୍ତମ ଶିକ୍ଷା ସଂସ୍କାର ଓ ବ୍ୟବସ୍ଥିତ ଶିକ୍ଷଣ କାର୍ଯ୍ୟ ମାଧ୍ୟମରେ ବିଦ୍ୟାଳୟକୁ ଏକ ସ୍ବତନ୍ତ୍ର ଓ ଅନନ୍ୟ ବିଦ୍ୟା ମନ୍ଦିରରେ ପରିଣତ କରିବା ପାଇଁ ପ୍ରୟାସରତ ଓ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରତିଜ୍ଞା କରିଥିଲେ। ବିଦ୍ୟାଳୟର ଅଧକ୍ଷ ଜଗନ୍ନାଥ ପ୍ରସାଦ ମିଶ୍ର ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶୈକ୍ଷିକ ସଂଯୋଜକ ମନମୋହନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିବା ବେଳେ ସମସ୍ତ ଅତିଥି ଟ୍ରଷ୍ଟି ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ପୁଷ୍ପ ଗଛ ଉପହାର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ବାର୍ଷିକ ପତ୍ରିକା ସମାଧାନର ପଞ୍ଚମ ସଂସ୍କରଣ ଲୋକାର୍ପିତ ହେବାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ନିର୍ଦ୍ଦେଶିତ ୨୦ଟି ନୃତ୍ୟ ଓ ଦୁଇଟି ନାଟକ ଯଥା ବାପା ତୁମେ କେବେ ବୁଢ଼ା ହବ ଏବଂ କେହି ଅଛୁଆଁ ନୁହେଁ ନାଟକ ଦ୍ବୟ ପରିବେଷିତ ହୋଇଥିଲା, ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ଓ ରାଷ୍ଟ୍ର ଗାନ ପରେ କାର୍ଯ୍ୟ ସମାପନ ହୋଇଥିଲା।