୫ ରାଜ୍ୟରେ ପଡିବ ନିର୍ବାଚନ ଭୋଟ୍ । ଜାଣନ୍ତୁ, କେଉଁ ରାଜ୍ୟରେ କେମିତି ରହିଛି ରାଜନୀତି ପାଣିପାଗ? କେଉଁ ଦଳକୁ ଟକ୍କର ଦେଉଛି କିଏ?

256

କନକ ବ୍ୟୁରୋ: ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ ।  ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ନିର୍ବାଚନ୍ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଯାହାକି ଫେବୃଆରୀ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖରେ ଶେଷ ହେବ । ତେବେ ନଜର ପକାନ୍ତୁ, ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଏହି ୫ ରାଜ୍ୟରେ କିଏ କାହାକୁ ଦେଉଛି କଡ୍ଡା ଟକ୍କର ?

ଉତ୍ତରପ୍ରଦେଶ : ବିଜେପି, କଂଗ୍ରେସ, ସପା ମୁହାଁମୁହିଁ

ଦେଶର ସବୁଠାରୁ ବଡ ରାଜ୍ୟ ଭାବେ ଉତ୍ତରପ୍ରଦେଶରେ ରହିଛି ମୋଟ ୪୦୩ ବିଧାନସଭା ଆସନ୍ । ତେବେ ଚଳିତ ଥର ଏଠାରେ ୭ଟି ପର୍ଯ୍ୟାୟରେ ବିଧାନସଭା ଭୋଟ୍ ହେବାକୁ ଯାଉଛି । ତେବେ ଗତଥର ଅର୍ଥାତ ୨୦୧୭ରେ ଏଠାରେ ବିଜେପି  ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସମସ୍ତଙ୍କୁ ପଛରେ ପକାଇ ୩୨୫ ସିଟ୍ ହାତେଇଥିବା ସହିତ ସରକାର ଗଠନ କରିଥିଲା । ଖାଲି ସେତିକି ନୁହେଁ ସବୁ ଆକଳନକୁ ପଛରେ ପକାଇ ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ ଯୋଗୀ ଆଦିତ୍ୟନାଥ । ଆଉ ଏବେ ଯୋଗୀଙ୍କ ନେତୃତ୍ୱରେ ଦଳ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇଛି । ତେବେ ଦଳ ଏଥର ଅପନା ଦଳ(ଏସ୍) ଏବଂ ନିଷାଦ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ୟୁପି ପାଇଁ ପ୍ରଚାର କରିବା ଆରମ୍ଭ କରିଦେଲେଣି ।

ଅନ୍ୟପଟେ ୟୁପିରେ ବିଜେପିକୁ ଟକ୍କର ଦେବାକୁ ଏଥର ସମାଜବାଦୀ ପାର୍ଟି ଅନେକ ଛୋଟ ଛୋଟ ଦଳ ସହିତ ମେଣ୍ଟ ଗଠନ କରିଛି । ଆରଏଲଡି, ପ୍ରସପା, ଜନବାଦୀ ପାର୍ଟି, ମହାନ ଦଳ ସହିତ ଅଖିଳେଶ ହାତ ମିଶାଇବା ସହିତ ଏଥର ପୁଣିଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଲଢେଇ କରୁଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟ ମୈଦାନକୁ ଓହ୍ଲାଇଛି । ବିଶେଷକରି ଦଳ ମହିଳା କାର୍ଡ ଖେଳୁଥିବାବେଳେ, ୪୦ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦେବାକୁ ଘୋଷଣା କରିଛି । ହେଲେ ବିଜେପିକୁ ଟକ୍କର ଦେବାକୁ ଏହି ଦୁଇ ଦଳଙ୍କ ରଣନୀତି କେତେ ସଫଳ ହେଉଛି ତାହା ମାର୍ଚ୍ଚ ୧୦ ତାରିଖରେ ଜଣାପଡିବ ।

ଉତ୍ତରାଖଣ୍ଡ: ପୁଣି ବଦଳିବ କି ସରକାର?

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର କାର୍ଯ୍ୟକାଳ ୨୦୨୨ ମସିହା ମାର୍ଚ୍ଚ ୨୩ ତାରିଖରେ ଶେଷ ହେବାକୁ ଯାଉଛି । ଆଉ ନିର୍ବାଚନକୁ ନେଇ ଏବେ ସବୁଠୁ ଅଧିକ  ହଲଚଲ ଉତ୍ତରାଖଣ୍ଡରେ ହିଁ ଦେଖିବାକୁ ମିଳୁଛି । କଂଗ୍ରେସ ସହିତ ବିଜେପି, ଆମ ଆଦମୀ ପାର୍ଟି, ବସପା ଏବଂ ଅନ୍ୟ ଛୋଟ ଛୋଟ ଦଳ ଏଠାରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାବେଳେ , ବିଜେପି ପାଇଁ ଏହି ନିର୍ବାଚନ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଏହାର ଏକ ବଡ କାରଣ ହେୁଛି ଏଠାରେ ପ୍ରତି ୫ ବର୍ଷରେ ସରକାରର ପରିବର୍ତ୍ତନ ହୋଇଥାଏ । ତେଣୁ ଏଥର ବିଜେପି ସେଠାରେ ପୁଣି ସରକାର ଗଠନ କରୁଛି ନା କଂଗ୍ରେସ ଫେରୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରୁଛି ।

୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏଠାରେ ବିଜେପି ୫୭ ସିଟ୍ ହାତେଇବା ସହିତ ସରକାର ଗଠନ କରିଥିଲା । ଆଉ ଏହି ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ମାତ୍ର ୧୧ ସିଟ୍ । ତେବେ ବହୁମତ ପାଇବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ନେଇଥିଲେ ତ୍ରୀଭେନ୍ଦ୍ର ସିଂହ ରାୱତ । ହେଲେ ୪ ବର୍ଷ ପରେ ତାଙ୍କୁ ହଟାଇ ଦଳ ତୀରଥ ସିଂହ ରାୱତଙ୍କୁ ଏହି ଦାୟିତ୍ୱ ଦେଇଥିଲା । ହେଲେ ଏହାର କିଛି ମାସ ପରେ ପୁଣି ମୁଖ୍ୟମନ୍ତ୍ରୀ  ପଦ ବଦଳିବା ସହିତ ଏହି ପଦ ପାଇଥିଲେ ପୁଷ୍କର ସିଂହ ଧାମି । ତେଣୁ ଆଗାମୀ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଉଭୟ ଧାମି ଏବଂ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜପୂର୍ଣ୍ଣ ହେବ ।

ପଞ୍ଜାବ: କଂଗ୍ରେସ ପାଇଁ ବଡ ଚ୍ୟାଲେଞ୍ଜ

ନିର୍ବାଚନ ହେବାକୁ ଥିବା ଏହି ୫ ରାଜ୍ୟ ଭିତରୁ ପଞ୍ଜାବ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି କଂଗ୍ରେସ ଶାସନରେ ରହିଛି । ତେଣୁ ଏହି ରାଜ୍ୟରେ କଂଗ୍ରେସ ନିଜ ଶାସନ ବଞ୍ଚାଇ ରଖୁଛି ନା ଅନ୍ୟ କେଉଁ ଦଳ ଏଠାରେ ଶାସନ କରୁଛି ତାକୁ ନେଇ ବଡ ଆକଳନ ପ୍ରକାଶ ପାଉଛି । କଂଗ୍ରେସ ଏଠାରେ ଚନ୍ନୀ ଏବଂ ନବଜ୍ୟୋତ୍ ସିଂହ ସିଦ୍ଧୁଙ୍କୁ ଆଗରେ ରଖି ମୈଦାନକୁ ଓହ୍ଲାଉଥିବାବେଳେ , ଆମ୍ ଆଦମୀ ପାର୍ଟି ମଧ୍ୟ ପଛରେ ରହିନି । ତା ସହିତ ବିଜେପି ମଧ୍ୟ କ୍ୟାପଟେନ୍ ଅମରିନ୍ଦର ସିଂହ ଏବ ସୁଖଦେବଙ୍କ ପାର୍ଟି ସହିତ ମେଣ୍ଟ କରି ଏଠାରେ ଶାସନ ହାତେଇବାକୁ ଅଙ୍କ କଷୁଛି ।

ସୂଚନାଯୋଗ୍ୟ ଯେ, ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ଟି ଆସନ ଜିତି ୧୦ ବର୍ଷ ପରେ ଶାସନକୁ ଫେରିଥିଲା । ଆଉ ଅକାଳୀ ଦଳ ବିଜେପି ମେଣ୍ଟକୁ ମିଳିଥିଲା କେବଳ ୧୮ଟି ସିଟ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦ଟି ସିଟ୍ ଜିତି ଏଠାରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଥିଲା । ହେଲେ ଗତ ନିର୍ବାଚନରୁ ଚଳିତ ନିର୍ବାଚନ ଭିତରେ ପଞ୍ଜାବ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଘଟିଛି । ଅମରିନ୍ଦର ସିଂହ ହାତ ଛାଡି, ପଦ୍ମ ସହ ହାତ ମିଶାଇଛନ୍ତି । ଏପରି ସ୍ଥିତିରେ ପଞ୍ଜାବରେ ଆଗକୁ କିଏ ସରକାର ଗଠନ କରୁଛି ତାହା ଦେଖିବାକୁ ବାକି ରହିଲା ।

ମଣିପୁର: କିଏ ହାତେଇବ ଶାସନ କ୍ଷମତା?

ପୂର୍ବ ଭାରତର ଏହି ରାଜ୍ୟର ବିଧାନସଭା ସିଟ୍ ସଂଖ୍ୟା ହେଉଛି ୬୦ । ଆଉ ଗତଥର ଏଠାରେ ବିଜେପି ୨୪ ସିଟ୍ ଜିତି ସବୁଠାରୁ ବଡ ଦଳର ମାନ୍ୟତା ପାଇଥିଲା । ଆଉ ଏହି ସମୟରେ କଂଗ୍ରେସକୁ ମିଳିଥିଲା କେବଳ ୧୭ ସିଟ୍ । ତେବେ ଫଳାଫଳ ପ୍ରକାଶ ପାଇବା ପରେ ବିଜେପିି ଏନପିପି, ଏଲଜେପି ଓ କିଛି ସ୍ୱାଧୀନ ବିଧାୟକଙ୍କ ସହ ମିଶି ସରକାର ଗଠନ କରିଥିିଲା ଆଉ ଏନ୍ ବୀରେନ୍ ସିଂହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏପରି ସମୟରେ ମଣିପୁରରେ ବିଜେପି ପୁଣି ନିଜର ସରକାର ଗଠନ କରୁଛି ନା କଂଗ୍ରେସ ପୁଣି ଶାସନକୁ ଫେରୁଛି ତାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଯାଇଛି ।

ଗୋଆ: କଂଗ୍ରେସ, ବିଜେପି ସହ ମୈଦାନରେ ଆପ୍ ,ଟିଏମସି

୪୦ ସିଟ୍ ବିଶିଷ୍ଟ ଗୋଆ ବିଧାନସଭାର କାର୍ଯ୍ୟକାଳ ଚଳିତବର୍ଷ ମାର୍ଚ୍ଚ ୧୫ ତାରିଖରେ ଶେଷ ହେଉଛି । ଗତଥର ଏଠାରେ ୧୫ଟି ସିଟ୍ ଜିତି କଂଗ୍ରେସ ସବୁଠାରୁ ଆଗରେ ଥିଲା । ହେଲେ ଦୁର୍ଭାଗ୍ୟବଶତଃ ଦଳ ଏଠାରେ ସରକାର ଗଠନ କରିପାରିନଥିଲା । ବିଜେପି ୧୩ଟି ସିଟ୍ ଜିତିଥିଲେ ବି ଏମଜିପି, ଜିଏଫପି ଏବଂ ଦୁଇ ସ୍ୱାଧୀନ ବିଧାୟକଙ୍କ ସହ ମିଶି ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା  ଆଉ ମନୋହର ପାରିକାର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହେଲେ ୨୦୧୯ ମସିହା ମାର୍ଚ୍ଚ ୧୭ ତାରିଖରେ ମନୋହର ପାରିକରଙ୍କ ନିଧନ ପରେ ସେଠାରେ ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଗୋଆରେ ହେବାକୁ ଥିବା ଏହି ନିର୍ବାଚନରେ ଏଥର କଂଗ୍ରେସ, ବିଜେପି ସହିତ ମମତା ଦିଦିଙ୍କ ଟିଏମସି ଏବଂ କେଜ୍ରିୱାଲଙ୍କ ଆପ୍ ପାର୍ଟି ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ହେଲେ ଏଠାରେ ଗତ ୧୦ ବର୍ଷ ହେଲା ବିଜେପି ଶାସନ ଦାୟିତ୍ୱରେ ଅଛି । ତେଣୁ ଏହାକୁ ଲକ୍ଷ୍ୟ କଲେ ବିରୋଧୀଙ୍କୁ ଏଠାରେ ଶାସନ କ୍ଷମତା ଦଖଲ କରିବାକୁ ହେଲେ ବଡ କଷ୍ଟ କରିବାକୁ ପଡିବ । ଏପରି ସମୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ନିଜର ସମସ୍ତ ବଳ ଲଗାଇ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ମଧ୍ୟ ସରକାରକୁ ଫେରିବାକୁ ଲକ୍ଷ୍ୟ ରଖିଛି । ହେଲେ କଂଗ୍ରେସ ଓ ବିଜେପିର ଏହି ଫାଇଟ୍ ଭିତରେ ଆପ୍ ଏବଂ ଟିଏମସିର  ଭାଗ୍ୟ କଣ ହେଉଛି ତା ଉପରେ ରହିଛି ସମସ୍ତଙ୍କର ନଜର ।