କନକ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆସିଛି ବଡ ଖବର । ଏକାଠି ହେବେ ଆଇଏନଏଲଡି ଓ ବିଏସପି । ସୂଚନା ଅନୁସାରେ ୯୦ ଆସନରୁ ୩୭ ଆସନରେ ଲଢ଼ିବ ବିଏସପି । ବାକି ୫୩ ଆସନରେ ଲଢ଼ିବାକୁ ରାଜି ହୋଇଛି ଆଇଏନଏଲଡି । ଜୁଲାଇ ୬ରେ ବହୁଜନ ସମାଜବାର୍ଦି ପାର୍ଟି ସୁପ୍ରିମୋ ମାୟାବତୀ ଓ ଆଇଏନଏଏଲଡି ମୁଖ୍ୟ ଅଭୟ ଚୌଟାଲା ଆଲୋଚନା ହୋଇ ଆସନ ଭାଗବଣ୍ଟା କରାଯାଇଥିବା ଜଣାପଡିଛି । ଏଥିସହ ଏହି ମେଣ୍ଟରେ ଅଭୟ ଚୌଟାଲା ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି କୁହାଯାଉଛି।

Advertisment

ହରିୟାଣା ରାଜ୍ୟ ରାଜନୀତିରେ କଂଗ୍ରେସ ଓ ବିଜେପିକୁ ଚେକ୍ ଦେବାକୁ ବିଏସପି ଓ ଆଇଏନଲଡି ହାତ ମିଶାଇଥିବା ସ୍ପଷ୍ଟ ହୋଇଛି । ଲୋକସଭା ନିର୍ବାଚନରେ ଉଭୟ ଦଳଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖି ମେଣ୍ଟ କରିବାକୁ ଉଭୟ ନିଷ୍ପତି ନେଇଥିବା କୁହାଯାଉଛି ।

  • ୧୯୯୬ ଲୋକସଭା ନିର୍ବାଚନରେ ଶେଷଥର ପାଇଁ ଉଭୟ ମେଣ୍ଟ କରିଥିଲେ
  • ଆଇଏନଏଲଡି ୭ ଓ ବିଏସପି ୩ ଆସନରେ ଲଢ଼ିଥିଲେ
  • ବିଏସପି କେବଳ ଗୋଟିଏ ଓ ଆଇଏନଏଲଡି ୪ଟିରେ ଜିତିଥିଲା
  • ୨୦୧୮ର ମେଣ୍ଟ ମଧ୍ୟ ଆଶାନୁରୂପକ ସଫଳତା ପାଇପାରିନଥିଲା
  • ତୃତୀୟ ଥର ପାଇଁ ପୁଣି ମେଣ୍ଟ ଘୋଷଣା

ସବୁଠୁ ବଡ କଥା ହେଉଛି ମେଣ୍ଟ ଘୋଷଣା କରିବା ସହ ନିର୍ବାଚନ ପାଇଁ ଉଭୟ ଦଳ କସରତ ଆରମ୍ଭ ହୋଇସାରିଛି ।ଏପରିକି ନିର୍ବାଚନୀ ଇସ୍ତାହାରରେ ଲୋଭନୀୟ ପ୍ରତିଶ୍ରୁତି ପ୍ରସ୍ତୁତି କରିଛନ୍ତି ବିଏସପି ଓ ଆଇଏନଏଲଡି ।

ଯଦି ବିଏସପିର ବର୍ତମାନ ସ୍ଥିତି ଉପରେ ନଜର ପକାଇବା ତେବେ, ଲୋକସଭା ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏଭଳି ସ୍ଥିତିରେ ହରିଆଣାରେ ଦଳ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଆଇଏନଏଲଡି ସହ ମେଣ୍ଟ କରୁଛି ବିଏସପି। ସେପଟେ ଲୋକସଭା ନିର୍ବାଚନରେ ଆଇଏନଏଲଡି ମଧ୍ୟ କିଛି କମାଲ କରିପାରିନି । ୧୦ ଲୋକସଭା ଆସନରୁ ୨ଟି ଆସନ କୁରୁକ୍ଷେତ୍ର ଓ ହିସାରରେ ଲଢ଼ିଥିଲେ ବି ପରାଜିତ ହୋଇଥିଲା । ତେଣୁ କଂଗ୍ରେସ ଓ ବିଜେପିର ବିଜୟ ରଥ ରୋକିବାକୁ ଏମାନଙ୍କ ମେଣ୍ଟ କି କମାଲ କରୁଛି ନିର୍ବାଚନ ଫଳାଫଳରେ ଜଣାପଡିବ ।