ବଢିବ କି ଲକଡାଉନ ଅବଧି? କେଉଁ ଫର୍ମୁଲାରେ ଲକଡାଉନ ବଢାଇବେ କେନ୍ଦ୍ର ସରକାର, ମୋଦିଙ୍କ ବାର୍ତ୍ତା ଉପରେ ପୂରା ଦେଶର ନଜର । 

732

କନକ ବ୍ୟୁରୋ : ଓଡିଶା ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ହେଲେ ସାରା ଦେଶରେ କଣ ରହିବ ଲକଡାଉନର ଚିତ୍ର ସେନେଇ ଆସନ୍ତା କାଲି ହୋଇପାରେ ଏକ ବଡ ଘୋଷଣା । ଆସନ୍ତାକାଲି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ ଅବଧି ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏମିତିକି ଲକଡାଉନ ଅବଧି ବୃଦ୍ଧି ନେଇ ସଙ୍କେତ ବି ଦେଇଥିଲେ । ଆଉ ସେବେଠାରୁ ପୁରା ଦେଶ ମୋଦିଙ୍କ ବାର୍ତ୍ତାକୁ ଅପେକ୍ଷା କରିଛି । ଆଶା କରାଯାଉଛି କିଛି କଟକଣା କୋହଳ କରିବା ସହ ଲକଡାଉନ ଅବଧି ବୃଦ୍ଧି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଟ୍ୱିଟ୍ ଆସିବା ପରେ ମଙ୍ଗଳବାର ମୋଦି ଦେଶକୁ ସମ୍ବୋଧନ କରିବା ସ୍ପଷ୍ଟ ହୋଇଛି । ୧୪ ଏପ୍ରିଲ ଦିନ ୧୦ଟାରେ ତାଲାବନ୍ଦର ଆଗାମୀ ରୂପରେଖ ନେଇ ଦେଶକୁ ସୂଚନା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଶନିବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ବେଳେ ତାଲାବନ୍ଦ ଅବଧି ବୃଦ୍ଧି କରିବାକୁ ଅଧିକାଂଶ ପ୍ରସ୍ତାବ ଆସିଥିଲା । ହେଲେ ଜୀବନ ସହ ଜୀବିକା ଜରୁରୀ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ତାଲାବନ୍ଦ ବୃଦ୍ଧିର ଏକ ସୁନିୟନ୍ତ୍ରିତ ସ୍ୱରୂପ ଆଡକୁ ଇସାରା କରିଥିଲା ।

ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପ୍ରିଲ ୧୪ ମଧ୍ୟରାତ୍ରୀରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ଅବଧି ଶେଷ ହେଉଥିବାରୁ ମଙ୍ଗଳବାର ଏନେଇ ସରକାର ତାଙ୍କ ପରବର୍ତୀ ପଦକ୍ଷେପ ଘୋଷଣା କରିବେ । କିଭଳି ହେବ ପରବର୍ତୀ ଲକଡାଉନର ସ୍ୱରୂପ ସେନେଇ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ମାନଓ ମନ୍ଥନ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସରକାରଙ୍କ ଡ୍ରାଫ୍ଟ ରିପୋର୍ଟକୁ ଦେଶବାସୀଙ୍କ ଆଗରେ ରଖିବେ । ଅର୍ଥାତ କେଉଁ ଅଂଚଳରେ ତାଲାବନ୍ଦର କଟକଣା କେତେ ମାତ୍ରାରେ ରହିବ ସେନେଇ ବିସ୍ତୃତ ରୁପରେଖ ଦେବେ । ଯାହାକୁ ରାଇସିନା ହିଲ୍ସରେ ପିଏମଓ, ଅର୍ଥ, ଗୃହ ଓ ପ୍ରତିରକ୍ଷା ମନ୍ତ୍ରୀ ଏବଂ ମନ୍ତ୍ରାଳୟର ଅଧିକାରୀମାନେ ଚୂଡାନ୍ତ ରୂପ ଦେବେ ।

ଚର୍ଚ୍ଚା ହେଉଛି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ତିନିଟି ସ୍ତରରେ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମିତଙ୍କ ହାରକୁ ନେଇ ଅଂଚଳ ଆଧାରରେ ସ୍ଥିର ହେବ ପ୍ରତ୍ୟେକ ସ୍ତର ।

ପ୍ରଥମ ସ୍ତର

– ଦେଶର ଯେଉଁ ୧୬୦ଟି ଜିଲ୍ଲାରେ କରୋନା ସଂକ୍ରମଣର ଗୋଟିଏ ବି ମାମଲା ଆସିନାହିଁ ତାକୁ ତାଲାବନ୍ଦରୁ ବାଦ ଦିଆଯାଇ ପାରେ ।

– କିନ୍ତୁ ଏସବୁ ଜିଲ୍ଲାରେ କରୋନା ଭୂତାଣୁ ଯେଭଳି ନପହଞ୍ଚିବ ସେନେଇ କେତେକ ସତର୍କତା ମୂଳକ ପଦକ୍ଷେପ ମଧ୍ୟ ଲାଗୁ ହୋଇପାରେ

ଦ୍ୱିତୀୟ ସ୍ତର

– ୫୦୦ରୁ କମ୍ କରୋନା ସଂକ୍ରମିତ ଥିବା ଜିଲ୍ଲା ଗୁଡିକରେ ନିୟନ୍ତ୍ରିତ ବ୍ୟବସାୟିକ କାରବାର ପାଇଁ ନିଆଯାଇପାରେ ପଦକ୍ଷେପ

– ନିଷିଦ୍ଧାଞ୍ଚଳ ଭିତରେ ରହି ସରକାରୀ ସଂସ୍ଥା କିମ୍ବା ଘରୋଇ ଉଦ୍ୟୋଗ ସେମାନଙ୍କ କାରବାର କରିବାକୁ ଅନୁମତି ମିଳିବ

ତୃତୀୟ ସ୍ତର

–   ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଓ କେରଳ ଭଳି ଅଧିକ ସଂକ୍ରମିତ ରାଜ୍ୟରେ ନିୟନ୍ତ୍ରିତ କାରବାରକୁ ଅନୁମତି ମିଳିବ

– ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଣସଂଗଠିତ ଆର୍ଥିକ କାରବାରକୁ ଅନୁମତି ଦେଇପାରନ୍ତି କେନ୍ଦ୍ର ସରକାର

ଗୋଟିଏ ସ୍ଥାନରେ ଅଳ୍ପ ସମୟ ପାଇଁ ଦୋକାନ ଖୋଲିବା କିମ୍ବା କାରବାର କରିବା ପାଇଁ ଅନୁମତି ଦେବ ସ୍ଥାନୀୟ ପ୍ରଶାସନ