ବିଜୁବାବୁଙ୍କୁ ଇସ୍ପାତ ପୁରୁଷ କହିଲେ ରାଷ୍ଟ୍ରପତି! ଆନନ୍ଦ ଭବନ ସଂଗ୍ରହାଳୟ ଉଦଘାଟନ ଅବସରରେ ପ୍ରବାଦପୁରୁଷଙ୍କୁ ମନେପକାଇଲେ କୋବିନ୍ଦ

42

କନକ ବ୍ୟୁରୋ: ପ୍ରଥମ ଓଡିଶା ଗସ୍ତରେ ଆସି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି ବିଜୁ ବାବୁ କେବଳ ଇସ୍ପାତ ମନ୍ତ୍ରୀ ନଥିଲେ, ସେଥିଲେ ଇସ୍ପାତ ପୁରୁଷ । ଏଥିସହ ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ଆନନ୍ଦ ଭବନର ଲୋକାର୍ପଣ କରିଛନ୍ତି । ଏହାପରେ କଟକ ଇନଡୋର ଷ୍ଟାଡିୟମରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ।

ବିଜୁବାବୁ କେବଳ ଇସ୍ପାତ ମନ୍ତ୍ରୀ ନଥିଲେ ସେ  ଥିଲେ ଇସ୍ପାତ ପୁରୁଷ । ଏପରି କହି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କଟକ ତୁଳସୀପୁରସ୍ଥିତ ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ, ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରେ ପରିଣତ ହୋଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁବାବୁଙ୍କ ଆଦ୍ୟ ଜୀବନ ଓ ସଂଘର୍ଷମୟ ଜୀବନର ଅନେକ ସ୍ମୃତି ରାଜି ସାଇତା ହୋଇଛି ଏହି ଆନନ୍ଦଭବନ ସଂଗ୍ରହାଳୟରେ । ବିଜୁବାବୁଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଆସବାବପତ୍ରଠାରୁ ଆରମ୍ଭ କରି ବିଭିନ୍ନ ଅବସରରେ ଥିବା ତାଙ୍କର ଦୁର୍ଲଭ ଫଟୋଚିତ୍ର ସଂଗ୍ରହାଳୟରେ ସ୍ଥାନ ପାଇଛି ।

କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ବିଜୁଙ୍କ ସ୍ମୃତି ସଭାରେ ରାଷ୍ଟ୍ରପତି କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ ବିଜୁ ବାବୁଙ୍କ ଅବଦାନ ଅବିସ୍ମରଣୀୟ । ଦେଶର ସ୍ୱାଧୀନତା ପାଇଁ ଦୁଇଟି ଆନନ୍ଦ ଭବନର ମନ୍ତ୍ରଣା ଚାଲିଥିଲା । ଗୋଟିଏ ନେହରୁଙ୍କ ପୈତୃକ ଘର ଆହ୍ଲାବାଦର ଆନନ୍ଦ ଭବନ, ଅନ୍ୟଟି କଟକରେ ବିଜୁବାବୁଙ୍କ ଆନନ୍ଦ ଭବନ ।ଓଡ଼ିଶା ମାଟିର ଦୁଇ ବୀର ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିଜୁ ପଟ୍ଟନାୟକଙ୍କୁ ସ୍ମୃତି ଚାରଣ କରିଥିଲେ ରାଷ୍ଟ୍ରପତି । ରାମନାଥ କୋବିନ୍ଦ କହିଛନ୍ତି, ୧୬ ବର୍ଷ ବୟସରେ କଟକରୁ ପେଶୱାର ସାଇକେଲ ଯାତ୍ରା କରି ପିଲାବେଳୁ ନିଜ ସାହସର ପ୍ରମାଣ ଦେଇଥିଲେ । ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ବିଜୁବାବୁଙ୍କ ଭୂମିକାକୁ ମନେ ପକାଇଛନ୍ତି ରାଷ୍ଟ୍ରପତି ।

ଓଡ଼ିଶା ପ୍ରତି ବିଜୁବାବୁଙ୍କ ଭଲ ପାଇବା ଥିଲା ଅତି ପ୍ରଗାଢ଼ । ସେ କରିଥିବା ସବୁ ଅନୁଷ୍ଠାନକୁ କଳିଙ୍ଗ ସହ ଯୋଡୁଥିଲେ । ରାଷ୍ଟ୍ରପତି କହିଛନ୍ତି, ସ୍ୱାଧନତା ସମୟରେ ନିଜ ଉଦ୍ୟମରେ କଳିଙ୍ଗ ଏୟାରଲାଇନସ ଗଢିଥିଲେ ବିଜୁବାବୁ ।ଓଡିଆ ଭାଷାରେ ଦୁଇ ପଦ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି ।