ଦୀର୍ଘଦିନର ବ୍ୟବଧାନ ପରେ ଶୁଭିଲା ଆନ୍ନା ହଜାରେଙ୍କ ସ୍ୱର । ଚାଷୀଙ୍କ ଆନ୍ଦୋଳନକୁ ଜଣାଇଲେ ସମର୍ଥନ । କହିଲେ ଚାଷୀଙ୍କ ଦାବି ଶୁଣ ସରକାର, ସେମାନେ ପାକିସ୍ତାନୀ ନୁହଁନ୍ତି

281

କନକ ବ୍ୟୁରୋ : କୃଷକ ମାନେ ନୂତନ କୃଷି ବିଲ୍ କୁ ବିରୋଧ କରି ସିନ୍ଧୁ ସୀମାରେ ଧାରଣା ପ୍ରଦର୍ଶନ କରୂୁଛନ୍ତି । ଏନେଇ କୃଷକ ସଂଗଠନ ମାନଙ୍କ ସହ ସରକାର କଥାବାର୍ତ୍ତା କରିବାକୁ ନିମନ୍ତ୍ରଣ କରିଥିଲେ ବି କୃଷକ ସଂଗଠନ ଏହାକୁ ଗ୍ରହଣ କରିନାହାନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବକୁ ବି ଅଗ୍ରାହ୍ୟ କରିଛି କୃଷକ ସଂଗଠନ । ଏହା ମଧ୍ୟରେ ସାମାଜିକ କର୍ମକର୍ତ୍ତା ତଥା ଗାନ୍ଧୀବାଦି ନେତା ଆନ୍ନା ହଜାରେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।
ଆନ୍ନା ହଜାରେ କହିଛନ୍ତି କି ସେ କୃଷକଙ୍କ ଦାବିକୁ ସମର୍ଥନ ଜଣାଉଛନ୍ତି । ହେଲେ କୃଷକ ଓ ସରକାରଙ୍କ ସ୍ଥିତି ଭାରତ ବନାମ ପାକିସ୍ତାନ ଭଳି ହୋଇଛି ବୋଲି ସେ କହିଛନ୍ତି । ସବୁଠାରୁ ବଡକଥାଟିଏ ଅନ୍ନା ହଜାରେ କହିଛନ୍ତି । ସେ କହିଛନ୍ତି କି ଯେମିତି ଭୋଟ ସମୟରେ ନେତା ମାନେ ଭୋଟ ମାଗିବାକୁ କୃଷକକୁ ଖୋଜି ଖୋଜି ତା ଘରେ ପହଂଚନ୍ତି ଓ ଘରେ ନପାଇଲେ କ୍ଷେତ୍ରରେ ଯାଇ ଭୋଟ ଭିକ୍ଷା କରନ୍ତି ସେହିଭଳି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ସବୁଦଳର ନେତା ମାନେ ଆଗକୁ ଆସିବା ଦରକାର ।

ଆନ୍ନା କହିଛନ୍ତି କି କୃଷକ ମାନେ ଅହିଂସା ମାର୍ଗରେ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି । କାଲି ଯେତେବେଳେ କୃଷକ ମାନେ ହିଂସାର ପଥ ଆପଣାଇବେ ତାହା ପାଇଁ କିଏ ଦାୟୀ ରହିବ । କୃଷକ ମାନେ ପାକିସ୍ତାନୀ ନୁହନ୍ତି ତେଣୁ ସରକାର ଉଦାର ମନରେ ସେମାନଙ୍କ ସମସ୍ୟା ଉପରେ ସେମାନଙ୍କ ସହ ବିନା ସର୍ତ୍ତରେ ଆଲୋଚନା କରିବାର ଆବଶ୍ୟକତା ରହିଛି ।
କୃଷକଙ୍କ ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଏନଡିଏ ସରକାରକୁ ଟାର୍ଗେଟ୍ କରିଛନ୍ତି ଆନ୍ନା ହଜାରେ । ସେ କହିଛନ୍ତି କି ଏହା ଦେଶର ଦୁଭାଗ୍ୟ କି ଏତେଦିନ ଧରି କୃଷକ ମାନେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦୋଳନ ଚଳାଇଛନ୍ତି , ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ପାକିସ୍ତାନରୁ ଆସିନାହାନ୍ତି ସେମାନେ ଏହି ଦେଶର । ତେଣୁ ସେମାନଙ୍କର ସମସ୍ୟାକୁ ଦେଶର ସମସ୍ୟା ଭାବି ସରକାର ଆଲୋଚନା କରନ୍ତୁ । ସରକାର ପୋଲିସ ଲଗାଇ ଯେଭଳି କୃଷକଙ୍କ ଉପରକୁ ପାଣିମାଡ କଲେ ତାହା ଏକ ଗଣତନ୍ତ୍ର ରାଷ୍ଟ୍ରରେ ଶୋଭା ପାଏନି । କୃଷକ ଏଦେଶର ଶତୃ ନୁହେଁ ତେଣୁ ତାଙ୍କୁ ପାକିସ୍ତାନୀ ଭଳି ବ୍ୟବହାର ନକରି ଅର୍ଣ୍ଣଦାତା ଭଳି ସରକାର ବ୍ୟବହାର କରନ୍ତୁ ।