ଓଡିଶା ଚାଷୀଙ୍କ ସପକ୍ଷରେ ବାହାରିଲେ ଆନ୍ନା ହଜାରେ : ଦିଲ୍ଲୀରେ ହକ୍ ମାଗିଲା ନବନିର୍ମାଣ କୃଷକ ସଂଗଠନ

23

କନକ ବ୍ୟୁରୋ : ଦିଲ୍ଲୀରେ ଗର୍ଜିଲେ ଓଡିଶା ଚାଷୀ । ଯନ୍ତରମନ୍ତରରେ ଚାଷୀ ଦେଲେ ରଣହୁଙ୍କାର । ଜୋର ଧରିଲା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି । ଦିଲ୍ଲୀ ଦରବାରରେ ଆଜି ହକ୍ ମାଗିଛନ୍ତି ହଜାର ହଜାର ଚାଷୀ । ଧାନର ଉଚିତ ମୂଲ୍ୟ, ସମସ୍ତଙ୍କ ଭଳି ସମ୍ମାନ ଓ ପେନସନ୍ ଦାବି ହୋଇଛି । ରାଜ୍ୟରୁ ବାହାରି ଦେଶର ରାଜଧାନୀରେ ପହଁଚିଛି ଚାଷୀଙ୍କ ସମସ୍ୟା । ୬ ମାସ ଭିତରେ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।

ଦିଲ୍ଲୀ ରାଜରାସ୍ତାରେ ଜମିଥିଲା ୧୦ ହଜାରରୁ ଅଧିକ ଚାଷୀଙ୍କ ଭିଡ । ୨୨ଟି ରାଜ୍ୟର ଚାଷୀ ସଂଗଠନ ସାମିଲ ହୋଇଥିଲେ ଆନ୍ଦୋଳନରେ । ଚାଷୀଙ୍କ ଏହି ସମାବେଶରେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ସମାବେଶ ସ୍ଥଳରୁ ମୋଦି ସରକାରଙ୍କୁ ଘେରିଛନ୍ତି ଆନ୍ନା । କହିଛନ୍ତି, ଯେତେବେଳେ ଯାଏଁ ଚାଷୀ ସଂସଦକୁ ଯାଇନାହାଁନ୍ତି ସେତେବେଳେ ଯାଏଁ ଦେଶର ବିକାଶ ଅସମ୍ଭବ । ଚାଷୀଙ୍କ ହକ୍ ପାଇଁ ପୁଣିଥରେ ଆନ୍ଦୋଳନ କରିବାକୁ ସୂଚନା ଦେଇଛନ୍ତି ଆନ୍ନା ହଜାରେ ।

ଦେଶର ଲୋକସଂଖ୍ୟାର ପ୍ରାୟ ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ସେମାନଙ୍କ କଥା ବୁଝିବାକୁ ସରକାରଙ୍କ ପାଖରେ ବେଳ ନଥାଏ । ଆଉ ଏଭଳି ସ୍ଥିତିରେ ଚାଷୀ ପାଖରେ ଆନ୍ଦୋଳନ ଛଡା ଅନ୍ୟ କିଛି ବାଟ ନଥାଏ । ରାଜ୍ୟରେ ବାରମ୍ବାର ଆନ୍ଦୋଳନ ପରେ ରାଜଧାନୀ ମୁହାଁ ହୋଇଛନ୍ତି ଚାଷୀ । କେନ୍ଦ୍ର ପାଖରେ ରଖିଛନ୍ତି ସେମାନଙ୍କ ଦାବି । ଯାହାର ନେତୃତ୍ୱ ନେଇଛି ନବନିର୍ମାଣ କୃଷକ ସଂଗଠନ ।