ତୀବ୍ର ହେଉଛି ଚାଷୀର ସ୍ୱର : ନବନିର୍ମାଣ କୃଷକ ସଂଗଠନର ଜୟ କିଷାନ ସମାବେଶରେ ଯୋଗଦେବେ ଆନ୍ନା ହଜାରେ

37

କନକ ବ୍ୟୁରୋ : ଆସୁଛନ୍ତି ଆନ୍ନା ହଜାରେ । ତିନିଦିନିଆ ଓଡିଶା ଗସ୍ତରେ ଆସନ୍ତାକାଲି ଆସିବେ ଗାନ୍ଧିବାଦୀ ନେତା ଆନ୍ନା ହଜାରେ । ୨୩ ତାରିଖରେ ଜଗତସିଂହପୁରରେ ହେବାକୁ ଥିବା ସେ ଜୟ କିଷାନ ସମାବେଶରେ ସାମିଲ ହେବେ । ନବ ନିର୍ମାଣ ସଂଗଠନର ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ନେଇ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଏହି ସମାବେଶ ଆୟୋଜିତ ହେଉଛି । ଏଥିରେ ଯୋଗଦେଇ ଆନ୍ନା ହଜାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଗତ ଅକ୍ଟୋବର ୧୧ ତାରିଖରେ ନୂଆ ଦିଲ୍ଲୀ ଜନ୍ତରମନ୍ତରଠାରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମାବେଶରେ ଯୋଗ ଦେଇ ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ଦେଶର ସବୁ ଅଂଚଳରେ ଚାଷୀ ସମସ୍ୟାନେଇ ତେଜୁଥିବା ଆନ୍ଦୋଳନକୁ ସେ ସମର୍ଥନ କରିବା ସହ ସାରାଦେଶ ଗସ୍ତ କରିବେ ବୋଲି ଘୋଷଣା କରିଥିଲେ ଆନ୍ନା । ଆସନ୍ତାକାଲି ଅପରାହ୍ନ ୧ଟା ବେଳେ ଭୁବନେଶ୍ୱରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ବିମାନ ବନ୍ଦରରୁ ଆନ୍ନାଙ୍କୁ ସମ୍ବର୍ଧନା ଦେଇ ଏକ ବିଶାଳ ରାଲିରେ ରାଜ୍ୟ ଅତିଥି ଭବନକୁ ପାଛୋଟି ଅଣାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ସେଠାରେ ଅପରାହ୍ନ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ନେତୃତ୍ୱ, ବିଶିଷ୍ଟ ଗଣମାଧ୍ୟମର ବରିଷ୍ଠ ସମ୍ପାଦକ ଓ ସାମ୍ବାଦିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ କର୍ମୀଙ୍କ ସହ ଆନ୍ନା ହଜାରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ସଂଧ୍ୟା ୬ଟାରେ ଭୁବନେଶ୍ୱର ସ୍ଥିତ କୃୁରବା ନାରୀ ମହଲରେ ସଂଗଠନର କର୍ମକର୍ତାଙ୍କୁ ଉଦବୋଧନ ଦେବେ । ପରଦିନ ୨୩ ତାରିଖ ସକାଳ ୯ଟା ୩୦ରୁ ବିଶାଳ ଶୋଭାଯାତ୍ରାରେ ଜଗତସିଂହପୁର ସମାବେଶ ଅଭିମୁଖେ ଆନ୍ନା ହଜାରେ ଯାତ୍ରା କରିବେ ଏବଂ ଏହି ସମାବେଶରେ ସେ ଉପସ୍ଥିତ ହଜାର ହଜାର ଚାଷୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ଭୁବନେଶ୍ୱରକୁ ଫେରି ସଂଧ୍ୟା ୬ଟା ବେଳେ ସମ୍ବାଦିକ ସମ୍ମିଳନୀରେ ଯୋଗଦେବେ ଆନ୍ନା । ୨୪ ତାରିଖ ସକାଳୁ ସେ ପୁଣେ ଫେରି ଯିବେ ବୋଲି ଜଣାପଡିଛି ।