ଗାଁ ଗାଁ ବୁଲି ଲୋକଙ୍କ ସେବା କରୁଥିଲେ, ରାଷ୍ଟ୍ରପତି ଡାକି ସମ୍ମାନିତ କଲେ । ଜାଣନ୍ତୁ ମାଓ ଉପଦ୍ରବ ଅଞ୍ଚଳର ମମତା ଦିଦିଙ୍କ କାହାଣୀ ।

477

କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ଉତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ଏବେ ଚର୍ଚ୍ଚାରେ ଅଛନ୍ତି ଏଏନଏମ ଦିଦି ମମତା ଭୋଇ । ମାଓ ଉପଦ୍ରବ ଅଂଚଳରେ ପହଂଚି ଆଖପାଖ ୧୦୦ ଖଣ୍ଡ ଗାଁର ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ତାଙ୍କରି ଉଦ୍ୟମରେ ମାସକୁ ୧୦ରୁ ୧୫ ପ୍ରସବ ହେବା ସହ କମିଛି ଶିଶୁ ମୃତ୍ୟୁ ।

ଏ କାହାଣୀ ଜଣେ ଏଏନଏମ ଦିଦିଙ୍କର । ରୋଗୀମାନଙ୍କ ସେବାରେ ଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ଏଏନଏମ ଦିଦି ମମତା ଭୋଇ । ମମତା ଏଥିପାଇଁ ଚର୍ଚ୍ଚାରେ ରହିଛନ୍ତି, କାରଣ ମାଓ ଉପଦ୍ରବ ଦୁର୍ଗମ ଅଂଚଳରେ ପହଂଚାଇ ପାରିଛନ୍ତି ସ୍ୱାସ୍ଥ୍ୟ ସେବା ।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ସୁନାମୁଦି ଗାଁ । ଏହି ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ୨୦୦୯ ମସିହାରେ ସେଠାରେ ପହଂଚିଥିଲେ ମମତା । ସ୍ୱାସ୍ଥ୍ୟ ସେବା ସମସ୍ୟାର ସମ୍ମୁଖୀନ ହେଉଥିଲେ ଆଖପାଖ ୧୦୦ ଖଣ୍ଡ ଗାଁର ଲୋକେ । ମମତା ପହଂଚିବାପରେ ସ୍ଥିତିରେ ସୁଧାର ଆସିଲା । ପ୍ରତି ମାସରେ ୧୦ରୁ ୧୫ଟି ପ୍ରସବ କରାଇଥାନ୍ତି ମମତା । ଏହି ଅଂଚଳରେ ଶିଶୁ ମୃତ୍ୟୁ ହାର ପୂର୍ବରୁ ଅଧିକ ରହିଥିବା ବେଳେ ଏବେ ଏଥିରେ ନିୟନ୍ତ୍ରଣ ଆସିଛି । ମମତାଙ୍କ ରୋଗୀ ସେବାରେ ସ୍ଥାନୀୟ ବାସିନ୍ଦା ବେଶ ଉପକୃତ ।

ଏଭଳି ସେବା ପାଇଁ ୨୦୧୯ ମସିହାରେ ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଆଙ୍ଗଲ ସମ୍ମାନ ପାଇଁ ରାଷ୍ଟ୍ରପତି ଭବନରୁ ଆସିଲା ଡାକରା । ଏହି ପୁରସ୍କାର ପାଇବା ସହ କେବଳ ବଲାଙ୍ଗିର କାହିଁକି ସାରା ଓଡିଶା ପାଇଁ ଗୌରବ ଆଣିଛନ୍ତି ମମତା । ଏପରିକି ଏହି ପୁରସ୍କାର ମୋ ମନୋବଳ ବଢାଇବ । ଗ୍ରାମବାସୀଙ୍କ ପାଇଁ ଆଗକୁ ମଧ୍ୟ ଏଭଳି ସେବା ଜାରି ରଖିବି ବୋଲି କହିଛନ୍ତି ମମତା ।