ଲୋକଙ୍କ ସେବା ଆଗ, ମୋ ଜୀବନ ପଛ । ବଢିପାଣିରେ ବିପନ୍ନଙ୍କ ସେବା ପାଇଁ ଜୀବନକୁ ବାଜିରେ ଲଗାଇଛନ୍ତି । ଛାତିରେ ଛାତିଏ ଦମ୍ଭ ଧରି ଅକାତକାତ ପାଣିରେ ହୁଲି ଡଙ୍ଗାରେ ଗାଁ ବୁଲୁଛନ୍ତି ଏଏନଏମ ଦିଦି । ବନ୍ୟାର ବିକଟାଳ ଚିତ୍ର ଭିତରେ ସାତକୋଶିଆରୁ ଆସିଲା ସେବାର ସାକ୍ଷାତ ଦେବୀଙ୍କ ସାହସୀପୂର୍ଣ୍ଣ କାହାଣୀ…

124

କନକ ବ୍ୟୁରୋ: ଅଥଳ ଗଣ୍ଡ, ଅକାତ କାତ ପାଣି… ଜମି ବୁଡିଛି, ଜଙ୍ଗଲ ବୁଡିଛି । ଘରଦ୍ୱାର, ଜୀବଯନ୍ତୁଙ୍କୁ ଜଳ ଜଞ୍ଜିରରେ ବାନ୍ଧିଛି । ଦୂର ଦୂର ପର୍ଯ୍ୟନ୍ତ ପାଣିର ପ୍ରଳୟ ଖେଳିଯାଇଛି । ଆଉ ବଞ୍ଚିବା ପାଇଁ ଜୀବନ ଆଉଟୁପାଉଟୁ ହେଉଛି । ସାତକୋଶିଆ ଗଣ୍ଡର ପ୍ରବଳ ପାଣି ଆଖପାଖ ଗାଁ ସହ ପୂରା ଅଞ୍ଚଳକୁ ପାଟିରେ ପୂରାଇ ଦେଇଛି । ଆଉ ମହାନଦୀର ବନ୍ୟାଜଳ ରଚିଛି ବିଭତ୍ସ ଚିତ୍ର… ଯେତେବେଳେ ଜଳ ଘେରରେ ଜୀବନ ଛଟପଟ ହେଉଛି, ଠିକ୍ ସେତିକି ବେଳେ ନିଜ ଜୀବନକୁ ପାଣି ଛଡାଇ, ବନ୍ୟା ର ବିକଟାଳ ରୂପକୁ ଭୟ ନକରି ରୋଗୀସେବା ପାଇଁ ଛାତିରେ ଦମ୍ଭ ଭରି ଜଳଯାତ୍ରା କରିଛନ୍ତି ସେବାର ଏ ସାକ୍ଷାତ ଦେବୀ ଦମୟନ୍ତୀ ସାହୁ ।

ଉଛୁଳା ଜଳ ଉପରେ ଜୀବନ ବଞ୍ଚାଇବାର ଜିଦ୍ । ଭରା ଜଳ ତଳେ ଭୟଙ୍କର କୁମ୍ଭୀର ଭୟ । ପାଣି ମଝିରେ ଟିକେ ଏପଟ ସେପଟ ହେଲେ ଜୀବନକୁ ଟାଣି ନେଇପାରେ କୁମ୍ଭୀର । ଆଉ ୟାରି ଭିତରେ ଲୋକଙ୍କ ସେବା ପାଇଁ ହୁଲି ଡଙ୍ଗା ନେଇ ଏକାଏକା ବାହାରି ଯାଆନ୍ତି ଅନୁଗୁଳ ସାତକୋଶିଆ ଅଞ୍ଚଳର ଏଏନଏମ ଦିଦି ଦମୟନ୍ତୀ ସାହୁ । କାରଣ ଦମୟନ୍ତୀ ନଗଲେ ସେବାରୁ ବଞ୍ଚିତ ହେବେ ବନ୍ୟା ବିପନ୍ନ । ତେଣୁ କର୍ତ୍ତବ୍ୟ ଆଗରେ ଡରଭୟକୁ ପଛରେ ଛାଡି ପାଣିକୁ କାଟି କାଟି ଲୋକଙ୍କ ପାଖରେ ପହଞ୍ଚନ୍ତି ଦମୟନ୍ତୀ ।

ତେବେ ହୀରାକୁଦରୁ ଗେଟ ଖୋଲାହେବା ଯୋଗୁଁ ମହାନଦୀରେ ଆସିିଛି ବନ୍ୟା । ଯାହା ଫଳରେ ଅନୁଗୁଳ ସାତକୋଶିଆ ଗଣ୍ଡର ପାଣି ଫୁଲିଛି ଆଉ ଗାଁଗଣ୍ଡାକୁ ମାଡିଆସିଛି । ଟିକରପଡା, ମଝିପଡା, ବେହେରାସାହି ଓ ଗାଇନ୍ଦି ଭଳି ଅନେକ ଗାଁ ବନ୍ୟା ଜଳରେ ବୁଡିରହିଥିବାରୁ ସେମାନଙ୍କୁ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପାଣି ପାଇଁ ଗାଁ ସହ ଯୋଗଯୋଗ ବିଚ୍ଛିନ୍ନ ଥିବାର ମାଛ ଧରା ଡଙ୍ଗା ନେଇ ଲୋକଙ୍କ ସେବା ପାଇଁ ଯାଆନ୍ତି ଏଏନଏମ ଦିଦି । ବନ୍ୟା ଫଳରେ ସାପ କାମୁଡାର ଆଶଙ୍କା ରହିଛି, ହଇଜା, ଜ୍ୱର ଆଦିର ସମ୍ଭାବନା ଅନେକ ଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ଦମୟନ୍ତୀ ପହଞ୍ଚନ୍ତି ଆଉ ରକ୍ତ ପରୀକ୍ଷା ସହ ଔଷଧ ଦିଅନ୍ତି ।

ବନ୍ୟା ବିପନ୍ନଙ୍କୁ ଜରୁରୀ ସେବା ଯୋଗାଇବାକୁ ପଣ କରିଥିବା ଦମୟନ୍ତୀ ପାଣିର ଛାତି ଚିରି ଦମ୍ଭର ସହ ଦୂଆର ଦୂଆର ବୁଲି ସେବା ଦେଉଛନ୍ତି । ବନ୍ୟାର ବିକଟାଳ ବିପଦ ବେଳେ ଦମୟନ୍ତୀଙ୍କ ଦମ୍ଭକୁ ଯିଏ ଦେଖୁଛି ସିଏ ସଲାମ କରୁଛି ଆଉ କହୁଛି, ଦୁଃଖୀଙ୍କ ଦରଦୀ ବନ୍ଧୁ ଦମୟନ୍ତୀ…