ଆଜି ଅଁଳା ନବମୀ : ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ

କରୋନା କଟକଣାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି

186

କନକ ବ୍ୟୁରୋ : ଆଜି ଅଁଳା ନବମୀ । ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରିଥାନ୍ତି । ହେଲେ କରୋନା କଟକଣାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଆଜି ଏବଂ ୧୫ ତାରିଖ ଯାଏଁ ଏହି କଟକଣା ବଳବତର ରହିବ । ୧୫ ତାରିଖରେ ଦିନ ବଡ଼ ଏକାଦଶୀ ଥିବାରୁ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷମାନଙ୍କ ପ୍ରବେଶନୁମତି ରହିବ । ମନ୍ଦିରରେ ସମସ୍ତ ନୀତିକାନ୍ତି ହେବ । ହେଲେ ଶଦ୍ଧାଳୁଙ୍କୁ ପ୍ରବେଶ ନେଇ ବାରଣ କରାଯାଇଛି ।

ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳ ଠାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ବର୍ଷକରେ କେବଳ ଅଁଳା ନବମୀ ତିଥିରେ ମାତ୍ର ଗୋଟିଏ ଦିନ ନିମନ୍ତେ ମା’ଙ୍କର ପାଦ ଦର୍ଶନର ସୁଯୋଗ ଭକ୍ତମାନେ ପାଇଥା’ନ୍ତି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସରକାରଙ୍କର କୋଭିଡ୍‌ କଟକଣା ଓ ପ୍ରଶାସନ ତରଫରୁ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୧୪୪ ଧାରା ଜାରି ହୋଇଛି। ଫଳରେ ଭକ୍ତମାନଙ୍କ ସମାଗମ ବନ୍ଦ ରହିବ ।

ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି । ଫଳରେ ବର୍ଷସାରା ଠାକୁରାଣୀଙ୍କ ପାଦ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ । ଆଜି ଗୋଟିଏ ଦିନ ନିମନ୍ତେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ହୋଇଥା’ନ୍ତି । ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ ଓ ଭକ୍ତମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ । ଆଜି ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯିବ । ସେହିପରି ଠାକୁର ଶ୍ରୀଶ୍ରୀ ଗୋପାଳ ଜିଉଙ୍କର ମନୋରମ ନଟବର ବେଶ ହେବ ।

ତେବେ କରୋନା ପାଇଁ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ବଦଳରେ କେବଳ ସେବାୟତ, ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତ ରହିବେ । ଉପଜିଲ୍ଲାପାଳ ଭବତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା,ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ ବୋଲି ଜଣାପଡିଛି ।