ସୁନୀତା କେଜ୍ରିୱାଲଙ୍କ ପରେ ସାମ୍ନାକୁ ଆସିଲେ ସଂଜୟ ସିଂଙ୍କ ପତ୍ନୀ ଅନୀତା । ବିଜେପିକୁ ଟାର୍ଟେଟ୍, ସ୍ୱାମୀଙ୍କ ଦାୟିତ୍ୱ ସମ୍ଭାଳିବାକୁ ଦେଲେ ସଂକେତ

4,320

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ତଥା ଉତ୍ତର ପ୍ରଦେଶ ପ୍ରଭାରୀ ସଂଜୟ ସିଂ ଏବେ ଜେଲରେ ଅଛନ୍ତି । ହେଲେ ରବିବାର ଦିନ ଇଣ୍ଡିଆ ମେଣ୍ଟର ମହାରାଲିରେ ସଂଜୟ ସିଂଙ୍କ ପତ୍ନୀ ଅନୀତାଙ୍କୁ ପ୍ରଥମଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି କି, ଏବେ ଦେଶବାସୀଙ୍କ ସମର୍ଥନ ଆମପ୍ରତି ରହିଛି ଓ ଲୋକଙ୍କ ସମର୍ଥନକୁ ନେଇ ସେ ଆଗକୁ ବଢିବେ ।

ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅନୀତା କହିଛନ୍ତି କି, ଇଣ୍ଡିଆ ମେଣ୍ଟର ମଞ୍ଚରେ ସମସ୍ତ ସହଯୋଗ ମିଳିଛି । ପ୍ରଥମରୁ ଯେଭଳି କାନ୍ଧରେ କାନ୍ଧ ମିଶାଇ ଆମେ ଚାଲୁଥିଲୁ ଏବେ ମଧ୍ୟ ମୁଁ ମୋ ସ୍ୱାମୀଙ୍କ ସହିତ ମିଶି ଚାଲୁଛି । ସେ ଜେଲରେ ଅଛନ୍ତି , ଏହାର ଅର୍ଥ ନୁହେଁ ଯେ ମୋ ସ୍ୱାମୀ ଦୁର୍ବଳ ବୋଲି ସେ କହିଛନ୍ତି ।

ଅନୀତା କହିଛନ୍ତି କି, ସଂଜୟ ସିଂ ଜେଲ ଯିବା ପରେ ତାଙ୍କର ସମସ୍ତ କାମ ସେ କରୁଛନ୍ତି । ଏହାସହ ସଂଜୟ ସିଂ ଯେଉଁ କାମ ଛାଡି ଯାଇଛନ୍ତି ତାହା ଲୋକଙ୍କ ସହ ମିଶି ଆଗକୁ କରିବେ ବୋଲି ସେ କହିଛନ୍ତି । ସଂଜୟ ସିଂ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ସମାନ ମାମଲାରେ ପ୍ରଥମେ ମନୀଷ ସିଶୋଦିଆ, ପରେ ସଂଜୟ ସିଂ ଓ ଏବେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇ ଜେଲରେ ଅଛନ୍ତି ।

ଅନୀତା ସିଂ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି କି, ସଂଜୟ ସିଂ ଥିଲେ ଏହି କାର୍ଯ୍ୟକ୍ରମ ଆହୁରି ଜୋରଦାର ହୋଇଥାନ୍ତି । ସେ ଯେଉଁ ମଞ୍ଚରେ ଠିଆ ହୁଅନ୍ତି ସେଠାରେ ମାହୋଲ ଅଲଗା ପ୍ରକାରର ହୋଇଥାଏ । ଏବେ ଆମେ ବିରୋଧୀ ଏକତା ପାଇଁ ଏକଜୁଟ ହୋଇଛୁ ଓ ଏହି ମେଣ୍ଟକୁ ଏତେ ମଜବୁତ କରିବୁ କି, ମୋଦୀଜୀ ପଛକୁ ହଟିବାକୁ ବାଧ୍ୟ ହେବେ ।