ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣୀଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ

590

କନକ ବ୍ୟୁରୋ : ଚର୍ଚ୍ଚା ବଢ଼ାଇଲା ଅମିତ ଶାହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଛାଡ଼ିଥିବା ଏହି ଫୋଟୋରେ ଶାହ ତାଙ୍କ ଦୁଇ ନାତୁଣିଙ୍କ ସହ ଚେସ୍ ଖେଳୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜନୀତିର ଚାଣକ୍ୟ ବୋଲି କୁହାଯାଏ । ତାଙ୍କ ଗୋଟିଚାଳନା ଆଗରେ ବିରୋଧୀଙ୍କ ସବୁ ଯୋଜନା ଫେଲ ମାରିଯାଏ । ସାଧାରଣରେ ଏକ ଧାରଣା ରହିଛି, ଚେସ୍ ବୁଦ୍ଧିମାନଙ୍କ ଖେଳ । ଚେସ୍ ବୋର୍ଡରେ ଗୋଟିଚାଳନା ବେଳେ ପ୍ରତିପକ୍ଷଙ୍କୁ ଚକମା ଦେବା ପାଇଁ ସବୁବେଳେ ରଣନୀତି କରାଯାଏ । ଠିକ୍ ସେହି କଥା ଲେଖିଛନ୍ତି ଅମିତ ଶାହ । ଗୋଟିଏ ଭଲ ଚାଲ ଖେଳି ଚୁପରହିବା ପରିବର୍ତେ ଆଉ ଗୋଟିଏ ଭଲ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଜେପି ରାଜନୀତିକୁ ଅନୁଧ୍ୟାନ କଲେ ଜଣାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାହାଣ ହାତ ହେଉଛନ୍ତି ଅମିତ ଶାହ । ଶାହଙ୍କ ଚାଣକ୍ୟ ନୀତିକୁ ଆଖିବୁଜି ବିଶ୍ୱାସ କରନ୍ତି ମୋଦୀ । ତେଣୁ ମୋଦୀଙ୍କ ସବୁ ସଫଳତା ପଛରେ ଶାହଙ୍କ ଚାଣକ୍ୟ ବୁଦ୍ଧି ଥିବା କୁହାଯାଏ । ନିକଟରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ୩ରାଜ୍ୟରେ ବାଜିମାତ କରିଛି ବିଜେପି । ମୋଦୀ ଗ୍ୟାରେଂଟିର କଥା କହି ଭୋଟରଙ୍କ ଭରସା ଜିତିବାରେ ବିଜେପି ସମର୍ଥ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସଫଳତାରେ ବିଜେପି ଅଧିକ ଉତ୍ସାହିତ ନହୋଇ ଲୋକସଭା ନିର୍ବାଚନ ବିଜୟ ପାଇଁ ନୂଆ ରଣନୀତି କରୁଛି । ତେଣୁ ଆଗାମୀ ନିର୍ବାଚନ ଓ ଅମିତ ଶାହଙ୍କ ପୋଷ୍ଟକୁ ଯୋଡ଼ି ଦେଖାଯାଉଛି ।