କନକ ବ୍ୟୁରୋ : ମଣିଷକୁ ପଶୁଙ୍କୁ ଦିଆଯାଉଥିବା ଇଞ୍ଜେକସନ ଦେଇଛି ନକଲି ଡାକ୍ତର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ମହୁଲଡିହା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏହାକୁ ନେଇ ଗାଁରେ ଉତେଜନା ହେବା ପରେ ପୁଲିସ ଠକ ଡାକ୍ତର ବିଶ୍ୱନାଥ ବେହେରାଙ୍କୁ ଥାନାକୁ ଉଠାଇ ଆଣି ଅଣ୍ଡରଟେକିଂ ଲେଖି ଛାଡି ଦେଇଥିବା ଜଣାପଡିଛି ।

Advertisment

ସମ୍ପୃକ୍ତ ଠକ ଜଣକ ଡାକ୍ତରୀ କିମ୍ବା ଫାର୍ମାସୀ ପାଠ ପଢି ନାହାନ୍ତି, କେବଳ ପ୍ରାକ୍ଟିସ ଅଛି ବୋଲି ଦାବି କରୁଥିବା ଜଣାପଡିଛି । ସୂଚନା ଅନୁସାରେ ମହୁଲଡିହା ଗାଁର ଶ୍ରୀକାନ୍ତ ମହାନ୍ତଙ୍କର ଅଣ୍ଟା ବିନ୍ଧୁଥିଲା, ଏହି ସମୟରେ ଗାଁରେ ନକଲି ଡାକ୍ତର ବିଶ୍ୱନାଥ ପହଞ୍ଚି ନିଜକୁ ଠାକୁରମୁଣ୍ଡାର ଡାକ୍ତରଖାନାର ଡାକ୍ତର ବୋଲି ପରିଚୟ ଦେଇଥିଲେ । ଏହା ଶୁଣି ଶ୍ରୀକାନ୍ତଙ୍କ ପତ୍ନୀ ସେହି ଠକ ଡାକ୍ତରଙ୍କୁ ଘରକୁ ଡାକି ନେଇଥିଲେ । ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ୩ଟି ଇଂଜେକସନ ଦେଇଥିଲେ ବିଶ୍ୱନାଥ । ଏହି ସମୟରେ ସେଠାରେ ପୁଅ ପହଞ୍ଚି ଦେଖିଥିଲେ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକସନ ଦିଆଯାଇଛି ।

ଇଞ୍ଜେକସନ ଖୋଳରେ ମେଲୋକ୍ସିକାମ ଓ ଏହା କେବଳ ପଶୁଙ୍କୁ ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଲେଖା ରହିଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତେଜନା ଖେଳି ଯାଇଥିଲା । ଖବର ପାଇ ପୁଲିସ ଗାଁରୁ ନକଲି ଡାକ୍ତରଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ଏକ ଅଣ୍ଡରଟେକିଂ ଲେଖି ଛାଡି ଦେଇଛି । ସେପଟେ ତିନି ତିନୋଟି ଇଞ୍ଜେକସନ ନେବା ପରେ ମଧ୍ୟ ଶୀକ୍ରାନ୍ତ ମହାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଦିନକୁ ଦିନ ଠାକୁରମୁଣ୍ଡା ଅଂଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ପ୍ରଶ୍ନ ଉଠୁଛି ଯଦି ଭୁଲ ଇଂଜେକସନ ଯୋଗୁଁ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲେ କିଏ ଦାୟୀ ହୋଇଥାନ୍ତା ।