କନକ ବ୍ୟୁରୋ: ପିପିଲି ବ୍ଲକରେ ଥିବା ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ କେଉଁଠି ତାଲା ଝୁଲୁଛି ତ କେଉଁଠି ନାହାନ୍ତି ଡାକ୍ତର । ଯେଉଁଥି ପାଇଁ ଏବେ ଚିନ୍ତାରେ ଗୋପାଳକ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ପିପିଲିର ୨୫ଟି ବ୍ଲକରେ ୨୨ଟି ପ୍ରାଣୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରିଛନ୍ତି । କିନ୍ତୁ ଗତ ୩ ବର୍ଷରୁ ଅଧିକ ସମୟ ଧରି ପଶୁ ଡାକ୍ତରଙ୍କ ଅଭାବ ଯୋଗୁଁ ବର୍ଷ ବର୍ଷ ଧରି ଅଧିକାଂଶ ଚିକିତ୍ସାଳୟରେ ଝୁଲୁଛି ତାଲା । ଏବେ ଏହା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଉପକରଣ ଗୁଡ଼ିକ ମଧ୍ୟ ଖତ ଖାଉଛି । ବାରମ୍ବାର ଅଭିଯୋଗ ସତ୍ୱେ କେହି ନଶୁଣିବାରୁ ବେସରକାରୀ ଭାବେ ବାହାରେ ଗୃହପାଳିତ ପଶୁଙ୍କ ଚିକିତ୍ସା କରାଉଛନ୍ତି ପିପିଲିବାସୀ ।

୨୫ଟି ପଂଚାୟତରେ ୨୨ଜଣ ପ୍ରାଣୀ ଚିକିତ୍ସା ନିରୀକ୍ଷକ ନିୟୋଜିତ ହେବା କଥା । କିନ୍ତୁ ପୂରା ପିପିଲି ବ୍ଲକରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ମାତ୍ର ୭ଜଣ ପଶୁ ଡାକ୍ତର ଅଛନ୍ତି । ଏପରି ସ୍ଥିତିରେ ସବୁ ଗୃହପାଳିତ ପଶୁଙ୍କ ଚିକିତ୍ସା କରିବା ସମ୍ଭବ ହେଉନାହିଁ । ଆଉ ଉତ୍ତମ ଚିକିତ୍ସା ଅଭାବରୁ ଗାଈ ଗୋରୁଙ୍କ ପ୍ରଜନନ ମଧ୍ୟ ହ୍ରାସ ପାଇବା ସହିତ ବଜବଜିଆ, ଫାଟୁଆ, ସାହାଣା ଆଦି ରୋଗ ହେଉଛି । ଏପରିକି ଚିକିତ୍ସା ଅଭାବରୁ ବିଭିନ୍ନ ଗୃହପାଳିତ ପଶୁଙ୍କର ମୃତ୍ୟୁ ମଧ୍ୟ ହେଉଛି ।

ସେପଟେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି, ମାତ୍ର ୭ ଜଣ ଡାକ୍ତରରେ ସବୁ ବ୍ଲକକୁ ଚିକିତ୍ସା ଯୋଗାଇବା ସମ୍ଭବ ନୁହେଁ । ତେଣୁ ସରକାର ନୂଆ ନିଯୁକ୍ତି କରାଇଦେଲେ, ଉତ୍ତମ ସେବା ଯୋଗାଇବା ସମ୍ଭବ ହେବ । ପଶୁ ଡାକ୍ତର ଅଭାବ କେବେ ଦୂର ହେବ ଏବଂ କେବେ ଏହି ନିରୀହ ପଶୁଙ୍କୁ ଉତ୍ତମ ଚିକିତ୍ସା ମିଳିପାରିବ, ସେ ଅପେକ୍ଷାରେ ରହିଛନ୍ତି, ପିପିଲିବାସୀ ।