କନକ ବ୍ୟୁରୋ: ବଢୁଛି ମଣିଷ-ବନ୍ୟଜନ୍ତୁ ଲଢେଇ । ଗତ ଦୁଇଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦୃଶ୍ୟ କିଛି ଏଭଳି ଚିତ୍ର ବୟାନ କରୁଛି । ଖୋଦ୍ ରେଂଜର ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି । କଳାହାଣ୍ଡି ନର୍ଲାରେ ରେଂଜରଙ୍କୁ ହାତୀ ଦଳିଦେଇଛି । ରେଂଜର ହାତୀ ଘଉଡାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ନବରଙ୍ଗପୁରରେ ବି ହାତୀ-ମଣିଷ ଲଢେଇର ଚିତ୍ର ସାମ୍ନାକୁ ଆସିଛି । ଭାଲୁ ସହ ଲଢ଼େଇରେ ଯାଇଛି ଠିକାଦାରଙ୍କ ଜୀବନ ।

Advertisment

କେତେ ଭୟଙ୍କର ରୂପ ନେଉଛି ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ଚାଲିଥିବା ଲଢ଼େଇ । କେତେବେଳେ ମଣିଷ ବଳି ପଡୁଛି ତ କେତେବେଳେ ଯାଉଛି ବନ୍ୟଜନ୍ତୁର ଜୀବନ । ଦୁଇ ଦିନ ମଧ୍ୟରେ ଆସିଥିବା ଏହି ୩ଟି ଦୃଶ୍ୟ ଯେତିକି ହୃଦୟ ବିଦାରକ, ସେତିକି ଚିନ୍ତାଜନକ ।

କଳାହାଣ୍ଡି ନର୍ଲାରେ ଏପରି ଘଟଣା ଘଟିଛି, ଯାହା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ରେଂଜର ପ୍ରଶାନ୍ତ ପାଲଙ୍କୁ ହାତୀ ଦଳି ଦେଇଥିବା ବେଳେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ସ୍ଥାନୀୟ ଅଂଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ହୋଇ ପଡିଥିଲେ । ବନବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ରେଂଜର ପ୍ରଶାନ୍ତ ପାଲ୍ ହାତୀ ଘଉଡାଇବାକୁ ଯାଇଥିଲେ । ଆମପଡାଠାରେ ପ୍ରଶାନ୍ତଙ୍କୁ ପାଲଟା ଆକ୍ରମଣ କରିଥିଲା ହାତୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଶନିବାର ସକାଳ
ନବରଙ୍ଗପୁର ବ୍ଲକ ଭତ୍ରାସିୟୁନି ପଞ୍ଚାୟତ
ଭାଲୁ ସହ ଲଢ଼େଇରେ ଠିକାଦାରଙ୍କ ଜୀବନ
ଭାରତମାଳା ପ୍ରକଳ୍ପର ରାୟପୁର -ବିଶାଖାପାଟଣମ ନିର୍ମାଣଧିନ ଜାତୀୟରାଜପଥରେ ପେଟି ଠିକାଦାର ଭାବେ କାମ କରୁଥିଲେ ବ୍ରିଜେଶ ଦ୍ୱିବେଦୀ । ଭୋରୁ ଶୌଚ ପାଇଁ ଯିବାକୁ ବାହାରିଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ମୁକୁଳିବା ପାଇଁ ଭାଲୁ ସହ ଦୀର୍ଘ ସମୟ ଧରି ଲଢ଼େଇ କରିଥିଲା । ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ଜଙ୍ଗଲି ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ସଂଘବଦ୍ଧ ହୋଇ ଭାଲୁକୁ ପିଟି ପିଟି ମାରିଦେଇଥିଲେ ।

ଷଡ଼ଙ୍ଗୀ ରେଂଜ ବାଇସିଙ୍ଗା ପଂଚାୟତର ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲ ନେଇ ଖେଳିଯାଇଛି ଆତଙ୍କ । ଗାଁରେ ପଶି ହାତୀ ପଲ ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି ହାତୀ ପଲ । ଏହି ହାତୀ ପଲ ଭୁବନ ପଟୁ ନଦୀ ପାର ହୋଇ ଗାଁ ଭିତରକୁ ପଶି ଆସିଛନ୍ତି । ପାଚିଲା ଧାନକ୍ଷେତକୁ ହାତୀ ଉଜାଡିବାକୁ ବସିଥିବା ବେଳେ ହାତୀ ଘଉଡାଇବାକୁ ଅନୁରୋଧ କରିଛନ୍ତି ଚାଷୀ । ଷଡ଼ଙ୍ଗୀ ରେଂଜ ପକ୍ଷରୁ ଏକ ଟିମ୍ ସେଠାକୁ ଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।