କୁମ୍ବଲେଙ୍କ ମୁହଁରେ ଓଡିଶା କଥା । କହିଲେ, ୨୦୨୦ ହେବ ସଫଳତାର ବର୍ଷ, ଓଡ଼ିଶାରୁ ବାହାରିବେ ବହୁ ଚାମ୍ପିଅନ୍‌ ଖେଳାଳି ।

763

କନକ ବ୍ୟୁରୋ : ଓଡ଼ିଶା ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କାମ କରୁଛନ୍ତି ସରକାର । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ରହିଛି । ତେଣୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପ୍ରତିଭା ଚମ୍ପିଅନ୍‌ ହେବାର ଆଶା ଦେଖାଯାଉଛି । ଭାରତର ପୂର୍ବତନ କ୍ରିକେଟ କୋଚ୍‌ ଓ ଅଧିନାୟକ ଅନୀଲ କୁମ୍ବଲେ ଆଜି ଏହା କହିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ‘ଓଡ଼ିଶା ନଲେଜ୍‌ ହବ୍‌ ବକୃତାମାଳା’ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଶ୍ରୀ କୁମ୍ବଲେ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ୨୦୨୦ ସଫଳତାର ବର୍ଷ ହେବ ।

ଅନୀଲ କୁମ୍ବଲେ କହିଛନ୍ତି, କ୍ରୀଡ଼ାର ବିକାଶ ପାଇଁ ତୃଣମୂଳସ୍ତରରେ ଭିତ୍ତିଭୂମିକୁ ଦୃଢ଼ କରାଯିବାର ଆବଶ୍ୟକତା ରହିଛି । ଖେଳାଳି ଯେତେ ଅଧିକ ଖେଳିବେ ସେତିକି ଭଲ ପ୍ରଦର୍ଶନ କରିପାରିବେ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପୂର୍ବାପେକ୍ଷା ଆଜିକାଲି ଭଲ କରୁଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏହି ରାଜ୍ୟରୁ ଅଧିକ ଖେଳାଳି ବିଭିନ୍ନ ଖେଳକୁ ଆସି ନିଜ ପ୍ରତିଭାର ପରିଚୟ ଦେବାର ସମ୍ଭାବନା ରହିଛି । ତେଣୁ ଅଲିମ୍ପିକ୍ସ ଉପରେ ଆମର ଫୋକସ ଅଧିକ ରହିବା ଜରୁରୀ ବୋଲି କୁମ୍ବଲେ କହିଛନ୍ତି ।

କ୍ରିକେଟର ପୁରୁଣା ଦିନକୁ ମନେ ପକାଇ କୁମ୍ବଲେ କହିଛନ୍ତି ଯେ, ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳା ମୋ ପାଇଁ ସବୁଦିନ ପାଇଁ ମନେ ରହିବ । ସେହିପରି ଭାରତ ପାଇଁ ଖେଳିବା ଓ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ । ଇଂଲଣ୍ଡ ବିପକ୍ଷରେ ଭାରତର ବିଜୟ ମୋ ପାଇଁ ଏକ ସ୍ୱର୍ଣ୍ଣିମ ମୂହୁର୍ତ୍ତ ଥିଲା । ଏଥିସହ କ୍ରିକେଟ୍ ସଂପର୍କିତ ପ୍ରଶ୍ନରେ ଅନୀଲ କୁମ୍ବଲେ କହିଛନ୍ତି, ମହେନ୍ଦ୍ର ସିଂହ ଧୋନୀ କେବେ ଅବସର ନେବେ ତାହା ସେ ହିଁ କହିପାରିବେ। ସେହିପରି ସେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।