ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

83

କନକ ବ୍ୟୁରୋ: ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ମହାରାଷ୍ଟ୍ରର ଗିରଫ ପୁଲିସ୍ ଅଧିକାରୀ ସଚିନ୍ ୱାଜେ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ଅନୀଲ ଦେଶମୁଖ ତାଙ୍କୁ ଶହେ କୋଟି ଚାନ୍ଦା ଆଦାୟ କରିବାକୁ କହିଥିଲେ ବୋଲି ସଚିନ୍ ୱାଜେ ଅଭିଯୋଗ କରିଛନ୍ତି । ଏନେଇ ସେ ଏନଆଇଏକୁ ଏକ ଚିଠି ଲେଖିଛନ୍ତି ।

ଆଂଟିଲିଆ ଆଗରେ ବୋମା ବୋଝେଇ ଗାଡ଼ି ଜବତ ହେବା ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ଗାଡ଼ିର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ପରେ ବିବାଦ ଜଟିଳ ପାଲଟିଥିଲା । ଏହି ମାମଲାରେ ସଚିନ୍ ୱାଜେଙ୍କୁ ଗିରଫ କରାଯାଇଥିଲା । ସେପଟେ ମୁମ୍ବାଇର ପୂର୍ବତନ ପୁଲିସ୍ କମିାନର ପରମବୀର ସିଂ ମହାରାଷ୍ଟ୍ରର ସେତେବେଳର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସଚିନ ୱାଜେଙ୍କୁ ୧୦୦ କୋଟି ଚାନ୍ଦା ଆଦାୟ ପାଇଁ ଅନୀଲ ଦେଶମୁଖ ବାଧ୍ୟ କରୁଥିଲେ ବୋଲି ପରମବୀର ସିଂ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଅନୀଲ ଦେଶମୁଖ ଖଣ୍ଡନ କରିଆସିଛନ୍ତି ।

ନିକଟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ ଦେଶମୁଖ । ସେପଟେ ତାଂକ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସିବିଆଇ କରିବାକୁ ବମ୍ବେ ହାଇକୋର୍ଟ କହିସାରିଛନ୍ତି । ଏହା ବିରୋଧରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସେପଟେ ସଚିନ ୱାଜେଙ୍କ ଚିଠି ଖବର ପରେ ଶିବସେନା ପ୍ରତିକ୍ରିୟା ରଖିଛି । ମହାରାଷ୍ଟ୍ର ସରକାରକୁ ଅଡ଼ୁଆରେ ପକାଇବାକୁ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରାଯାଉଛି, ଏପରିକି ଜେଲରୁ ବାଧ୍ୟ କରି କିଛି ଲୋକଙ୍କୁ ଚିଠି ଲେଖାଯାଉଛି ବୋଲି କହିଛନ୍ତି ସଂଜୟ ରାଉତ ।