କନକ ବ୍ୟୁରୋ: ଅନଗୁଳ ଜିଲ୍ଲାରେ ଅତ୍ୟଧିକ ଖଣି ଖନନ ଓ ବଢୁଥିବା ପ୍ରଦୂଷଣକୁ ନେଇ ସତର୍କ କରିଛି ଗବେଷଣା ସଂସ୍ଥା ଆଇ-ଫରେଷ୍ଟ । ଆଗାମୀ ୧୫ ବର୍ଷ ମଧ୍ୟରେ ଶିଳ୍ପ ଅର୍ଥନୀତିର କେନ୍ଦ୍ର ଭାବେ ଅନଗୁଳ ପରିଗଣିତ ହେବ, କିନ୍ତୁ ଏହାର ସଂଘାତିକ ପ୍ରଭାବ ଜଳବାୟୁ ଓ ପରିବେଶ ଉପରେ ପଡ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

Advertisment

ବର୍ଦ୍ଧିତ ଖଣି ଖାଦାନ ଯୋଗୁଁ ରାଜ୍ୟର ଜଳବାୟୁ ପରିବର୍ତନ ହେଉଛି । ନ୍ୟାସ୍ନାଲ୍ କ୍ଲିନ ଏୟାର ପ୍ରୋଗ୍ରାମର ୧୩୨ଟି ଅଣପ୍ରାପ୍ତି ସହର ମଧ୍ୟରେ ତାଲଚେର ଏବଂ ଅନଗୁଳ ସ୍ଥାନ ପାଇଛି । ତେବେ ଅନୁଗୁଳ ଜିଲ୍ଲାର ଖଣି ଏବଂ ପରିବେଶ ନେଇ ରିସର୍ଚ କରିଥିବା ସଂସ୍ଥା ଆଇ-ଫରେଷ୍ଟର ତଥ୍ୟ ଅନୁଯାୟୀ ଅନଗୁୁଳ ଓ ତାଳଚେର ଦେଇ ପ୍ରବାହିତ ହେଉଥିବା ତିନୋଟି ନଦୀ ସମ୍ପୂର୍ଣ୍ଣ ପ୍ରଦୁଷିତ ହୋଇଛି । ପାଣି ବିଷାକ୍ତ ହେଉଛି, ସ୍ଥାନୀୟ ଲୋକ ବିଭିନ୍ନ ରୋଗରେ ପଡୁଛନ୍ତି ।

କେବଳ ଏତିକି ନୁହେଁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩ ହଜାର ହେକ୍ଟର ଜଙ୍ଗଲ ଜମି ବିଶେଷ ଭାବେ ପ୍ରଭାବିତ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି । ବର୍ତମାନ ସବୁଜ ଶିଳ୍ପାୟନ ପ୍ରତି ଗୁରୁତ୍ୱ ଦେବାକୁ ଚିନ୍ତା କରୁଛନ୍ତି ପରିବେଶବିତ । ପ୍ରଦୂଷଣ ରୋକିବା ପାଇଁ ଅକ୍ଷୟ ଶକ୍ତି କ୍ଷେତ୍ରକୁ ବ୍ୟାପକ କରିବା ଏବଂ ସବୁଜ ଶିଳ୍ପ ନୀତିର ବିକାଶ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ଆଇ-ଫରେଷ୍ଟ ।