ଦୃଷ୍ଟିଶକ୍ତି ହରାଇଛନ୍ତି, ମନୋବଳ ନୁହେଁ…ସାଧାରଣରେ ଅସାଧାରଣ ବ୍ୟକ୍ତିତ୍ୱ ‘ଜୟନ୍ତ’…ପ୍ରତିଟି କ୍ଷେତ୍ରରେ ନିଜ ସାମର୍ଥ୍ୟ ପ୍ରତିପାଦନ କରି ସ୍ୱାଭିମାନର ସହ କାଟୁଛନ୍ତି ଜୀବନ

281

କନକ ବ୍ୟୁରୋ: ଭଗବାନ ସିନା ଦୃଷ୍ଟିଶକ୍ତି ଦେଇନାହାନ୍ତି ମନରେ କିନ୍ତୁ ଭରିଛନ୍ତି ଢେର୍ ହିମ୍ମତ ଆଉ ସମ୍ମାନର ସହ ବଂଚିବା ପାଇଁ ଅଦମ୍ୟ ସାହସ । ଛେଣ୍ଡିପଦା ବ୍ଲକ୍ ଚାଙ୍ଗୁଡିଆ ପଞ୍ଚାୟତ ବଡବରେଣା ଗାଁର ଏହିଭଳି ଜଣେ ବ୍ୟକ୍ତିତ୍ୱ ହେଲେ ଜୟନ୍ତ ଭୋଇ । ଦେଖିବାର ସାମର୍ଥ୍ୟ ନଥିଲେ ମଧ୍ୟ ନିଜକୁ କେବେ ଅସହାୟ ଭାବି ନାହାନ୍ତି ସିଏ । ପରିବାର ଓ ସମାଜ, ପ୍ରତ୍ୟେକ କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରତିପାଦନ କରି ସ୍ୱାଭିମାନର ସହ ଜୀବନ କାଟୁଛନ୍ତି ଜୟନ୍ତ ।

ଜୟନ୍ତଙ୍କ ବୟସ ଏବେ ୪୩ ବର୍ଷ । ଜନ୍ମରୁ ସେ ଦୃଷ୍ଟିଶକ୍ତି ହରାଇଛନ୍ତିି । ୩ ଭାଇ ହୋଇଥିବା ବେଳେ ସମସ୍ତେ ନିଜ ନିଜ ପରିବାର ନେଇ ଅଲଗା ହୋଇ ଚଳୁଛନ୍ତି । ଆଉ ଜୟନ୍ତଙ୍କ ପରିବାର କହିଲେ ସ୍ତ୍ରୀ, ପୁଅ ଓ ଝିଅ । ସରକାରଙ୍କ ପକ୍ଷରୁ ଜୟନ୍ତଙ୍କୁ ମାସିକ ୭୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ବାବଦକୁ ମିଳୁଛି । ତେବେ ପରିବାର ପ୍ରତିପୋଷଣ ପାଇଁ ସେ ନିଜ ଚାଳଛପର ଘରେ ବସାଇଛନ୍ତି ଏକ ମିନି ହଲର୍ । ଏଥିରେ କାମ କରିବା ବିପଜ୍ଜନକ ହୋଇଥିଲେ ବି ଅନାୟାସରେ ଧାନ ପେଷାଇ ପାରୁଛନ୍ତି ଜୟନ୍ତ । ଖାଲି ଏହିକାମ ନୁହେଁ ଚାଷୀଙ୍କଠାରୁ ଧାନ, କାଜୁମଞ୍ଜି ଆଦି କିଣି ବ୍ୟବସାୟ କରୁଛନ୍ତି ଜୟନ୍ତ । ସାଇକଲ୍ ପଙ୍କଚର ମରାମତି ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି ।

ତେବେ ଏଥିରେ ଯାହା ଆୟ ହେଉଛି, ସେଥିରେ ପରିବାର ଚଳାଇବା ସହ ପୁଅ, ଝିଅଙ୍କୁ ପାଠ ପଢାଉଛନ୍ତି । ଜୟନ୍ତଙ୍କ ପୁଅ ଏବେ ଯୁକ୍ତଦୁଇ ଓ ଝିଅ ଯୁକ୍ତ ୩ରେ ପଢୁଛନ୍ତି । ତେବେ ପକ୍କା ଘର ଖଣ୍ଡିଏ ନଥିବାରୁ ନିଜ ତିଆରି କରିବା ଲାଗି ତାଙ୍କ ପକ୍ଷେ ସମ୍ଭବ ହୋଇନାହିଁ । ସରକାରୀ ଆବାସ ଯୋଜନାରେ ଘରଟିଏ ପାଇଁ କୌଣସି ସରକାରୀ ବାବୁଙ୍କ ପାଖରେ କେବେ ଗୋଡଭାଙ୍ଗି ଛିଡା ହୋଇନାହାନ୍ତି ବୋଲି ଜୟନ୍ତ କହିଛନ୍ତି ।