କରୋନା ସଂକ୍ରମଣ ରୋକିବାକୁ ଅନୁଗୁଳରେ ସପ୍ତାହ ଶେଷରେ ସଟଡାଉନ୍: ପ୍ରଶାସନର ନିଷ୍ପତିକୁ ଲୋକଙ୍କ ସମର୍ଥନ; ସେପଟେ ସହର ନୁହଁ ଶିଳ୍ପ ସଂସ୍ଥାକୁ ସଟଡାଉନ୍ କରିବାକୁ ଜିଲ୍ଲା କଂଗ୍ରେସର ଦାବି

297

କନକ ବ୍ୟୁରୋ: ସଟଡାଉନ୍ ପରେ ଅନୁଗୁଳ ଜିଲ୍ଲାରେ ରାସ୍ତା ଘାଟ ଶୂନଶାନ । ଯେଉଁ ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିଲା କରୋନାକୁ ନେଇ ଜିଲ୍ଲା ପ୍ରଶାସନର କଟକଣା ପରେ ସବୁ କିଛି ହୋଇଯାଇଛି ଶୂନଶାନ । ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନରେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଖବର ଆସିବା ପରଠାରୁ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଛାନିଆ ଖେଳିଯାଇଛି । ଏହା ମଧ୍ୟରେ ଛେଣ୍ଡିପଦାର ଏକ ଘରୋଇ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ୧୬ ଜଣ ପଜିଟିଭ୍ ରହିଛନ୍ତି । ଆଠମଲିକ ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଜଣେ ପୁରୁଷ ଓ ସେଠାରେ କାମ କରୁଥିବା ମହିଳା ପାରାମେଡିକାଲ କର୍ମଚାରୀ ପଜିଟିଭ୍ ଆସିଛନ୍ତି ।

ସେହିପରି କରୋନା ସଂକ୍ରମଣରେ ନାଲକୋ ଡିଜିଏମଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ପଜିଟିଭ୍ ଆସିଛନ୍ତି । ଶେଷ ଖବର ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଏବେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୦୬କୁ ବୃଦ୍ଧି ହୋଇଛି । ଅନୁଗୁଳ ଜିଲ୍ଲା ପ୍ରଶାସନ ଏବେ କରୋନା ସଂକ୍ରମଣ ରୋକିବାକୁ ପ୍ରତ୍ୟକ ଶନିବାର ଓ ରବିବାର ସଟଡାଉନ୍ ରଖିବାକୁ ନିଷ୍ପତି ନେଇଛି । ସେପଟେ ଜିଲ୍ଲା କଂଗ୍ରେସ କିନ୍ତୁ ଜିଲ୍ଲାର କଳକାରଖାନା ଗୁଡିକୁ ବର୍ତମାନ କରୋନା ସ୍ଥିତି ଦେଖି ସଟଡାଉନ୍ ରଖିବାକୁ ଦାବି କରିଛି ।

କଟକରେ ବଢୁଥିବା ସଂକ୍ରମଣକୁ ଦେଖି ଆସନ୍ତା ୮ ତାରିଖ ଯାଏ କଟକ ସଟଡାଉନ୍ ଘୋଷଣା କରିଛି ସିଏମସି । ତେବେ ସକାଳ ୫ ରୁ ସନ୍ଧ୍ୟା ୬ଟା ଯାଏ କେବଳ ଗ୍ରୋସରୀ, ପନିପରିବା ଓ କ୍ଷୀର ବିକ୍ରି ପାଇଁ ଅନୁମତି ଦିଆଯାଇଛି । ଏହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । ପ୍ରଶାସନର ନିଷ୍ପତି ଅନୁସାରେ ଗାଡି ମୋଟର ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଛି । ବିଶେଷ କାମ ନଥିଲେ କଟକବାସୀ ପଦାକୁ ବାହାରୁ ନଥିବା ଦେଖିବାକୁ ମିଳିଛି । କଟକର ବିଭିନ୍ନ ଛକ ବଜାର ସ୍ଥାନରେ ପାଟ୍ରୋଲିଂ କଡା କଡି କରାଯାଇଛି । ସେପଟେ କଟକରେ କ୍ୟାନସର ହସପିଟାଲରେରୁ ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଏନେଇ ସୂଚନା ଦେଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ କ୍ୟାନସର ହସପିଟାଲରେ ଏଯାଏ ମୋଟ ୧୧୩ ଜଣ କରୋନା ଆକ୍ରାନ୍ତ ହୋଇସାରିଲେଣି । ସେପଟେ କଟକ ବଡ ମେଡିକାଲରୁ ଆଉ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କରୋନା ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ଆଜି ସଡ୍ଡାଉନ୍ । ସଡଡାଉନକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ଲୋକାଲ କେସ୍ ଜଣାପଡିବା ପରେ ବୁର୍ଲାର କିଛି ଅଂଚଳରେ ୫ ଦିନ ଯାଏ କଟକଣା ଜାରି ହୋଇଛି । ଆର୍ କଲୋନୀ, ଚିପିଲିମା, ପିସିି ବ୍ରିଜ୍ରୁ ଫାଣ୍ଡି ଛକ, କିର୍ବା, ପାଣି ଟାଙ୍କି ପଡା, ବସନ୍ତ ବିହାର ଅଂଚଳରେ ୧୪୪ ଧାରା ଜାରି । ସେପଟେ ୧୧ତାରିଖ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରହିବ ଭିସୁଟ । ଶନିବାର ପୁଣି ଜଣେ ଅଧ୍ୟାପକ ଓ ୩ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ କୁଳପତି ଏହି ନିଷ୍ପତି ନେଇଛନ୍ତି । ଭିସୁଟର ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।