ଅନୁଗୁଳରେ ଅହରହ ଜଳୁଛି ଜୁଇ : ପିପିଇ କିଟ୍ ପିନ୍ଧି କରାଯାଉଛି ଶବଦାହ; ମଶାଣି ଭିତରେ ଏବଂ ବାହାରେ ଗଦା ହୋଇଛି ଟନ୍ ଟନ୍ କାଠ 

262

କନକ ବ୍ୟୁରୋ : ମଶାଣିରେ ଗଦା ହୋଇଛି ଟନ୍ ଟନ୍ କାଠ । ଅହରହ ଜଳୁଛି ଜୁଇ । ପିପିଇ କିଟ୍ ପିନ୍ଧି କରାଯାଉଛି ଶବଦାହ । ମଶାଣି ଚିତ୍ରକୁ ଦେଖିଲେ କରୋନା ଜନିତ ମୃତ୍ୟୁକୁ ନେଇ ଆଶଙ୍କା ବଢୁଛି । ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶାସନ ଦେଉଥିବା ତଥ୍ୟ ଓ ମଶାଣିର ଚିତ୍ର ଭିନ୍ନ କିଛି କହୁଛି । ଏ ହେଉଛି ଅନୁଗୁଳ ସହର ନିଟକ କରଡାଗାଡିଆ ସ୍ଥିତ ମୁକ୍ତିପଥର ଦୃଶ୍ୟ । ମଶାଣି ବାହାରେ ଓ ଭିତରେ ଟନ୍ ଟନ୍ କାଠ ଗଦା ହୋଇ ରହିଛି । ପ୍ରତି ଘଂଟାରେ ଏଠାକୁ ଶବ ବାହକ ଗାଡି ଆସୁଛି । ଗାଡି ଆସିବା ବେଳେକୁ ପ୍ରସ୍ତୁତ ହୋଇ ରହୁଛି ଜୁଇ ।

ଅନୁଗୁଳ ଜିଲ୍ଲାରେ ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୪୯୪ ଥିବା ବେଳେ ପ୍ରତିଦିନ ଏଠାରେ ୧୦ରୁ ୧୫ ଶବ ଦାହ କରାଯାଉଛି । କରୋନାରେ ମୃତ ବ୍ୟକ୍ତିଙ୍କ ଶବଦାହ କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଅନ୍ୟପଟେ ଗାଁ ମାଝିରେ ସ୍ମଶାନ ଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କୋଭିଡ ଗାଇଡଲାଇନ୍ ଅନୁସାରେ, ଶବ ସକ୍ରାର କରାଯାଉନଥିବା ବେଳେ ଗାଁକୁ ସାନିଟାଇଜ୍ କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ମଶାଣିର ଚିତ୍ର ସତ, ନା ପ୍ରଶାସନ ଦେଉଥିବା ମୃତ୍ୟୁ ତଥ୍ୟ ସତ, ତାକୁ ନେଇ ପ୍ରଶ୍ନ ଉଠିଛି ।