ବର୍ଷ ପରେ ବର୍ଷ ବିତୁଛି । ହେଲେ ସରୁନି ରାସ୍ତା ମରାମତି । ମରଣଯନ୍ତା ପାଲଟିଛି ଅନଗୁଳ ୫୫ ନମ୍ବର ଜାତୀୟ ରାଜପଥ

141

କନକ ବ୍ୟୁରୋ : ରାସ୍ତା ପାଇଁ ପୂଜାର୍ଚ୍ଚନା । ଯାତ୍ରୀ ମାନଙ୍କ ସୁରକ୍ଷିତ ଯାତ୍ରା ଓ ଜାତୀୟ ରାଜପଥ କାମରେ ଅବହେଳା କରିଥିବା ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସଦବୁଦ୍ଧି କାମନା କରି ଧାରଣା ସ୍ଥଳରେ ଚାଲିଛି ହୋମ ଯଜ୍ଞ । ନେତା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରି ଦାବି ଜଣାଇଛନ୍ତି ଅନ୍ଦୋଳନକାରୀ । ଅନୁଗୁଳର ଜୀବନ ରେଖା କୁହାଯାଉଥିବା ୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଯନ୍ତା । ରାଜପଥ ସମସ୍ୟାକୁ ନେଇ ଦଶମ ଦିନରେ ପହଞ୍ଚିିଛି ଅନୁଗୁଳ ସଚେତନ ନାଗରିକ ମଞ୍ଚର ଆନ୍ଦୋଳନ । ଆଜି ଏଭଳି କିଛି ନିଆରା ପନ୍ଥା ଅପଣାଇଛନ୍ତି ଆନ୍ଦୋଳନକାରୀ ।

ଗତବର୍ଷ ରାସ୍ତା ଦୁର୍ଘଟଣାରେ ଅନୁଗୁଳ ଜିଲ୍ଲାର ୧୫୮ ଜଣଙ୍କର ମୃତ୍ୟୁ ଘଟିଛି । ବାରମ୍ବାର ରାସ୍ତା ମରାମତି ନେଇ ଦାବି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ନେତା ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଅନ୍ଦୋଳନରେ ଅନେକ ସଂଗଠନ, ରାଜନେତା ଓ ବୁଦ୍ଧିଜୀବୀ ମଧ୍ୟ ସାମିଲ ହୋଇଛନ୍ତି ।

ବର୍ଷ ପରେ ବର୍ଷ ବତୁଛି ହେଲେ ସରୁନି ୫୫ ନମ୍ବର ଜାତୀୟ ରାଜପଥ ମରାମତି କାମ । ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିର ହିଁ ରହିଯାଉଛି । କଟକ ସମ୍ବଲପୁର ଚାରିଥାକିଆ ରାସ୍ତା ୨୦୧୮ରୁ ଆରମ୍ଭ ହୋଇଥିବାବେଳେ ୨୦୨୨ରେ ସରିବାର ଥିଲା । ଏବେ ଏପର୍ଯ୍ୟନ୍ତ ସେହି ରାସ୍ତା କାମ ସରିବାର ନାଁ ନେଉନାହିଁ । ତେଣୁ ରାସ୍ତା ପୁନରୁଦ୍ଧାର ପାଇଁ ଦାବି ଜୋର ଧରିଛି ।