ମଞ୍ଚା ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା : ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର; ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

279

କନକ ବ୍ୟୁରୋ : ଅନୁଗୁଳ ଓଲାବିର ଗାଁରେ ଅଘଟଣ । ମଞ୍ଚା ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ଦୁର୍ବୃତ । ଘଟଣା ସ୍ଥଳରୁ ଦୁର୍ବୃତ ଫେରାର ହୋଇଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ଅନଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁର ବିଶ୍ୱନାଥଙ୍କୁ ବିଳମ୍ବିତ ରାତିରେ କେହି ଜଣେ ଆକ୍ରମଣ କରି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯୁବକ ଜଣଙ୍କ ଫସଲ ଯଗିବାକୁ ମଞ୍ଚା କରି ଶୋଇଥିଲେ ।

ଘର ନିକଟରେ ଥିବା କନ୍ଦମୂଳ ଚାଷ ଜମିରେ ଫସଲ ଜଗିବାକୁ ଶୋଇଥିଲେ ବିଶ୍ୱନାଥ ବର୍ଗିଆ । ବିଳମ୍ବିତ ରାତିରେ ତାଙ୍କ ବେକକୁ କେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ବିଶ୍ୱନାଥଙ୍କ ଚିତ୍କାର ଶୁଣି ଘର ଲୋକ ତାଙ୍କ ନିକଟକୁ ଆସିବା ବେଳକୁ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆଉ କେହି କିଛି ବୁଝିବା ଆଗରୁ ଆଖିବୁଜି ଦେଇଥିଲେ ବିଶ୍ୱନାଥ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ଏହାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।