ଅନୁଗୁଳରେ ଲାଗୁ ହେଲା ରେଡ୍‌ ଜୋନ୍‌ କଟକଣା: ଆଜି ୧୩ ପଜିଟିଭ ଚିହ୍ନଟ ପରେ ରେଡ୍‌ ଜୋନ‌ ଘୋଷଣା କଲେ ଜିଲ୍ଲାପାଳ; ନିମୟ ନମାନିଲେ କାର୍ଯ୍ୟାନୁଷ୍ଠାନ ସହ ସାମାଜିକ ଦୂରତା ମାନିବାକୁ ପରାମର୍ଶ

ରାଜ୍ୟର ୫ ଜିଲ୍ଲା ଓ ଭୁବନେଶ୍ବର ମହାନଗର ନିଗମ ରେଡ୍‌ ଜୋନରେ

6,513

କନକ ବ୍ୟୁରୋ: ଗ୍ରୀନ ଜୋନରୁ ରେଡ ଜୋନକୁ ଗତି କଲା ଅନୁଗୁଳ ଜିଲ୍ଲା । ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନୁଗୁଳ ଜିଲ୍ଲାରେ ରେଡ ଜୋନ କଟକଣା ଲାଗୁ ହୋଇଛି । ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କର ସୁରତ ଲିଙ୍କ ରହିଛି । ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ସ୍ଥାନୀୟ ସ୍ଥାନୀୟ ଅଂଚଳର ବ୍ୟକ୍ତି ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ହାଟ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ତାଲାବନ୍ଦ କଟକଣାକୁ କଡାକଡି ଭାବେ ପାଳନ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମନୋଜ ମହାନ୍ତି । କାମ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଛି । ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯଦି କେହି ତାଲାବନ୍ଦ ନିୟମ ଉଲଂଘନ କରିବେ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ ବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।