କନକ ବ୍ୟୁରୋ:  ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ହୋଇଥିବା ଲଗାତାର ଜେରା ଯୋଗୁଁ ତାତିଲେ ନ୍ୟାସନାଲ ଷ୍ଟିଡେଣ୍ଟ ୟୁନିଅନ୍ ନେତା(ଏନଏସୟୁଆଇ) । ମେଡିକାଲର ପାଣି ଟାଙ୍କି ଉପରେ ଚଢିଯାଇ ଆତ୍ମହତ୍ୟା ଧମ ଦେଲେ । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ନାକେଦମ୍ ହେଲା ପୋଲିସ ।

Advertisment

 ଦିଲ୍ଲୀରେ ଲଗାତାର ୩ ଦିନ ରାହୁଲ ଗାନ୍ଧୀଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିରେ ଖପ୍ପା ହୋଇଯାଇଥିଲେ ଏନଏସୟୁଆଇର ଯୁବନେତା । ରାହୁଲଙ୍କ ଉପରେ ଜାଣିଶୁଣି ଏପରି ପଦକ୍ଷେପ ନିଆଯାଇଛି ବୋଲି ଅଭିଯୋଗ କରି ରାତି ପାଖାପାଖି ସାଢେ ୨ଟା ସମୟରେ କଲାବତୀ ସରନ୍ ହସ୍ପିଟାଲ ପାଣି ଟାଙ୍କି ଉପରେ ଚଢିଯାଇଥିଲେ ।  ଘଣ୍ଟା ଘଣ୍ଟା ଧରି ପୋଲିସ ମସକତ୍ କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ପାଣି ଟାଙ୍କି ଉପରୁ ଓହ୍ଲାଇଆଣିବାକୁ ସଫଳ ହୋଇଥିଲା ।

 ପୋଲିସ ସୂଚନା ମୁତାବକ, ପାଣି ଟାଙ୍କି ଉପରେ ଚଢିଥିବା ଯୁବ ନେତା ରାଜସ୍ଥାନର ବାସିନ୍ଦା ବିନୋଦ ଜାଖଡ , ଯେ କି ଏନଏସୟୁଆଇର ରାଷ୍ଟ୍ରୀୟ ସଚିବ ଅଛନ୍ତି । ଅନ୍ୟ ଜଣେ ଯୁବନେତା ଉତ୍ତରପ୍ରଦେଶର ବାସିନ୍ଦା ନିରଜ ରାୟ, ଯିଏ କି ଏନଏସୟୁଆଇର ପ୍ରଦେଶ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏମାନଙ୍କୁ ପୋଲିସ ଉଦ୍ଧାର କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହସ୍ପିଟାଲ ପଠାଇଛି । ସେଠାରୁ ସେମାନଙ୍କୁ ପୋଲିସ ହେପାଜତରେ ନିଆଯିବାର ସୂଚନା ରହିଛି ।

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା ପରେ ଦିଲ୍ଲୀରେ କଂଗ୍ରେସ ନେତା ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଥିଲେ । ଇଡି କାର୍ଯ୍ୟାଳୟ ପାଖରେ ମଧ୍ୟ୍ ପ୍ରଦର୍ଶନ କରିଥିଲେ । ଏହିସମୟରେ ଆଇନ ବ୍ୟବସ୍ଥା ଉଲଂଘନ କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ଏଯାଏଁ ୨୪୦ଜଣ କଂଗ୍ରେସ ନେତାଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ବରିଷ୍ଠ କଂଗ୍ରେସ ନେତା ।