ଜର୍ମାନୀରେ ମାର୍କେଲଙ୍କ ୧୬ ବର୍ଷ ଯାତ୍ରାର ଅନ୍ତ । ସ୍ୱଳ୍ପ ବ୍ୟବଧାନରେ ଜିତିଲା ‘ସୋସିଆଲ ଡେମୋକ୍ରାଟିକ୍ ପାର୍ଟି’

134

କନକ ବ୍ୟୁରୋ: ଜର୍ମାନୀରେ ଶେଷ ହୋଇଛି ଆଂଜେଲା ମାର୍କେଲଙ୍କ ୧୬ ବର୍ଷର ରାଜନୈତିକ ଯାତ୍ରା । ରବିବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମାର୍କେଲଙ୍କ ଦଳକୁୁ ପରାଜୟର ସାମନା କରିବାକୁ ପଡିଛି । ମାର୍କେଲଙ୍କ ‘ଖ୍ରୀଷ୍ଟିଆନ୍ ଡେମୋକ୍ରାଟିକ୍ ୟୁନିଅନ’ ଠାରୁ ସ୍ୱଳ୍ପ ବ୍ୟବଧାନରେ ଜିତିଛି ‘ସୋସିଆଲ ଡେମୋକ୍ରାଟିକ୍ ପାର୍ଟି’ । ଏହାସହ ଜର୍ମାନୀ ଚାନେସେଲର ଭାବେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଓଲାଫ୍ ସ୍ଲୋଜ୍‌ଙ୍କୁ ନୂଆଁ ଚାନସେଲର ଭାବେ ପାଇବା ସୁନିଶ୍ଚିତ ହୋଇଛି । ହେଲେ ଆସନ୍ତା କ୍ରିଷ୍ଟମାସ୍ ପର୍ଯ୍ୟନ୍ତ ମାର୍କେଲ ହିଁ ଏହି ପଦରେ ରହି କାର୍ଯ୍ୟଭାର ସମ୍ଭଳିବେ ବୋଲି ଘୋଷଣା ହୋଇଛି ।

 

ସୋମବାର ରିପୋର୍ଟ ହୋଇଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ‘ସୋସିଆଲ୍‌ ଡେମୋକ୍ରେଟିକ୍‌ ପାର୍ଟି’ ମାତ୍ର ୧.୬% ପଏଣ୍ଟ୍‌ରେ ବିଜୟୀ ହୋଇଛନ୍ତି। ସ୍ଥାନୀୟ ସମୟ ଭୋର ୪.୩୦ ‘ଦି ଫେଡେରାଲ୍‌ ଜର୍ମାନ୍‌ ଇଲେକ୍ସନ୍‌ ଏଜେନ୍‌ସି’ ଉପରୋକ୍ତ ଫଳାଫଳ ପୋଷ୍ଟ୍‌ କରିଛି।ରବିବାର ସନ୍ଧ୍ୟାରେ ଏକ୍ଜିଟ୍‌ ପୋଲ୍‌ ଘୋଷିତ ହେବା ପରେ ପରେ ‘ସୋସିଆଲ୍‌ ଡେମୋକ୍ରେଟିକ୍‌ ପାର୍ଟି’ ମୁଖ୍ୟାଳୟରେ ଆନନ୍ଦ ଉତ୍ସବ ଆରମ୍ଭ ହୋଇଯାଇଥିଲା। ସମର୍ଥକମାନେ ସେମାନଙ୍କ ଦଳର ପ୍ରାର୍ଥୀ ଓଲାଫ୍‌ ସ୍ଲୋଜ୍‌ଙ୍କୁ ଉତ୍ସାହ ଦେବା ପାଇଁ ତାଳି ମାରି ‘ଓଲାଫ୍‌!’ ‘ଓଲାଫ୍‌!’ ଧ୍ବନି ଦେଇଥିଲେ।

 

ଏସବୁ ପରେ ବି ମାର୍କେଲଙ୍କୁ ଭୁଲି ପାରୁନାହାଁନ୍ତି । ତାଙ୍କର ଶାସନ ଶୈଳୀକୁ ଏବେବି ମନେପକାଉଛନ୍ତି ଜର୍ମାନବାସୀ । ତାଙ୍କ ସମୟରେ ଜର୍ମାନୀ ଏକ ସୁଦୃଢ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭା ହୋଇପାରିଛି । କିନ୍ତୁ ନିର୍ବାଚନ ପୂର୍ବରୁ ଆଉ ଚାନସେଲର ହେବେ ନାହିଁ ଘୋଷଣା କରିଥିଲେ ମାର୍କେଲ । ହୁଏତ ସେଥିପାଇଁ ତାଙ୍କ ଦଳ ବହୁମତ ପାଇବାରୁ ବଂଚିତ ହେଲା ବୋଲି ଚର୍ଚ୍ଚା ହେଉଛି ।