କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରେ ପିଲାଙ୍କ ଥାଳିରେ ଅଣ୍ତା ଦେଲେ, ଫଟୋ ଉଠାଇବା ପରେ ତାକୁ ଛଡ଼ାଇନେଲେ ଅଙ୍ଗନବାଡ଼ି ଦିଦି । ଏମିତି କିଛି ଘଟଣା କର୍ଣ୍ଣାଟକର କୋପାଲ ଜିଲ୍ଲାରେ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ଦୁଇ ଅଙ୍ଗନବାଡ଼ି ଦିଦିଙ୍କୁ ସସପେଣ୍ତ କରାଯାଇଛି ।
ପିଲାଙ୍କୁ ଧାଡ଼ି କରି ବସାଇ ମଧ୍ୟାହ୍ନ ଭୋଜନ ବାଢ଼ିଲେ ଅଙ୍ଗନବାଡ଼ି ଦିଦି । ଖାଇବା ଥାଳିରେ ଅଣ୍ତା ରଖି ପିଲାଙ୍କ ଫଟୋ ଉଠାଇଲେ । ଏହାପରେ କୁନି ପିଲାଙ୍କ ଥାଳିରୁ ଅଣ୍ତା ଛଡ଼ାଇନେଲେ ଦିଦି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଅଙ୍ଗନବାଡ଼ି ଦିଦି ଲକ୍ଷ୍ମୀ ଓ ସେହନାଜ ବେଗମଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇଜଣଙ୍କୁ ସସପେଣ୍ତ କରାଯାଇଛି ।
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ତା ଖାଇବାକୁ ଦେବା ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ଥିବା ବେଳେ ଅଙ୍ଗନବାଡ଼ି ଦିଦି ଏଭଳି କାହିଁକି କଲେ, ସେନେଇ କୌଣସି ସୂଚନା ମିଳିନାହିଁ ।