ଦିଦିଙ୍କ ୧୨ ଦଫା ଦାବି ନେଇ ହୋଇପାରେ ନିଷ୍ପତ୍ତି ! ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଜି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

23

କନକ ବ୍ୟୁରୋ: ବିଧାନସଭା ଆଗରେ ଧାରଣାରେ ବସିଥିବା ଅଙ୍ଗନୱାଡି କର୍ମୀଙ୍କ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର । ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ଏବଂ ବିଭାଗୀୟ ସଚିବ ଦିଦିଙ୍କ ଦାବିକୁ ତର୍ଜମା କରିବା ସହ ସଂଘ କର୍ମକର୍ତ୍ତାଙ୍କୁ ସାକ୍ଷାତ କରିବେ । ରାଜଧାନୀ ରାସ୍ତାରେ ୨୯ ଦିନ ହେଲା ଧାରଣାରେ ବସିଛନ୍ତି ରାଜ୍ୟର ହଜାର ହଜାର କର୍ମୀ । ଭୁବନେଶ୍ୱର ଲୋୟର ପିଏମଜିରେ ବର୍ଷା ରାତିରେ ବି ବନ୍ଦ ହୋଇନି ଆନ୍ଦୋଳନ । ୧୨ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ସଂଘ । ଯାହାକୁ ନେଇ ସାରା ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ତାଲା ଝୁଲଛି । ସେପଟେ ଶିଶୁଙ୍କ ଶିକ୍ଷାଠାରୁ ସ୍ୱାସ୍ଥ୍ୟ ସଚେତନତା ଯାଏଁ ସବୁକିଛି ବନ୍ଦ ରହିଛି ।

ଶିଶୁଙ୍କୁ ଟୀକାକରଣ ଦିଆଯାଇପାରୁନାହିଁ । ଏହାରି ଭିତରେ ଅଙ୍ଗନୱାଡି ଦିଦିଙ୍କ ଦାବିକୁ ନେଇ ରାଜ୍ୟ-କେନ୍ଦ୍ର ଟଣାଓଟରା ଚାଲିଛି । ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ନିବଦେନ କରିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଅଙ୍ଗନୱାଡି କର୍ମୀ ଆନ୍ଦୋଳନରୁ ଓହରନ୍ତୁ ତାଙ୍କ ଦାବି ଉପରେ ଆଲୋଚନା ଚାଲିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ୨୯ ଦିନ ହେଲା ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରୁଛନ୍ତି । ସେପଟେ ଆନ୍ଦୋଳନ ଯୋଗୁଁ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧିୟ ଅନେକ କାମ ବାଧାପ୍ରାପ୍ତ ହୋଇଛି । ପିଲାଛୁଆଙ୍କୁ ଧରି ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ । ରାଜଧାନୀରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତି ପ୍ରାୟ ୧ ଲକ୍ଷ ୩୮ ହଜାର ଅଙ୍ଗନୱାଡି କର୍ମଚାରୀ । ଆଉ ରାଜ୍ୟର ପ୍ରାୟ ୭୨ ହଜାର ଅଙ୍ଗନୱାଡି ସେଂଟରରେ ପଡିଛି ତାଲା ।

ଅଙ୍ଗନୱାଡି କର୍ମୀମାନେ ରାଜାରାସ୍ତାରେ ଅହୋରାତ୍ରା ଧାରଣାରେ ବସିଛନ୍ତି । ଅଙ୍ଗନୱାଡି କର୍ମୀ କାହାର ତାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଏହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିଲେ । ବିଜେପି ନେତା ସୁବାସ ସିଂ କହିଥିଲେ କି, ଅଙ୍ଗନୱାଡି କର୍ମୀଙ୍କ ଯୋଜନା କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଛି । ତେଣୁ ଅଙ୍ଗନୱାଡି କର୍ମୀମାନେ ବିଜେପି ନେତାଙ୍କ ବାସଭବନ ଆଗରେ ଧାରଣା ଦେବା ଉଚିତ । ଏଥିସହ ସେ ବିଜେପି ନେତାଙ୍କ ଉପରେ ବର୍ଷି କହିଛନ୍ତି, ଅଙ୍ଗନୱାଡି ସ୍କିମ ବିଷୟରେ ନ ଜାଣି ବିଜେପି ନେତା ରାଜନୈତିକ ଫାଇଦା ନେବାକୁ ଧାରଣାସ୍ଥଳରେ ଆସି ବସୁଛନ୍ତି ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି । ଅନ୍ୟପଟେ ଏହାର ଜବାବ ଦେଇଥିଲେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ସେ କହିଥିଲେ କି, ସୁବାସ ସିଂ ଠାରୁ ଅଙ୍ଗନୱାଡି ସ୍କିମ ବାବଦରେ ବିଜେପି ବୁଝିବାର ଆବଶ୍ୟକତା ନାହିଁ ।