ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନୱାଡି କର୍ମୀ : ନବୀନ କହିଲେ, ଖୁବ ଶୀଘ୍ର ଦାବି ନେଇ କରାଯିବ ବିଚାର

21

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଅଙ୍ଗନୱାଡି କର୍ମୀ । ସଚିବାଳୟରେ ଅଙ୍ଗନୱାଡି ସଂଘ ନେତ୍ରୀ ଓ ୨ ଶହ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି । ଦାବି ସଂପର୍କରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଲୋଚନାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ଥିଲେ । ଅଙ୍ଗନୱାଡି ଦିଦିଙ୍କ ଖୁବ ଶୀଘ୍ର ଦାବି ପୂରଣ କରାଯିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଅଙ୍ଗନବାଡି ଦିଦିଙ୍କ ଦାବି ସଂପର୍କରେ ସରକାର ଯତ୍ନବାନ ଅଛନ୍ତି । ଆଲୋଚନା ପାଇଁ ସରକାର ମାସେ ସମୟ ନେଇଥିଲେ । ମାସେରୁ ୬ ଦିନ ଯାଇଛି , ଆଉ ୨୪ ଦିନ ବାକି ରହିଥିବା ମନ୍ତ୍ରୀ କହିଛନ୍ତି । ଅଙ୍ଗନୱାଡି କର୍ମୀ ବିଭିନ୍ନ ଦାବି ନେଇ ୩୬ ଦିନ ହେବ ଧାରଣାରେ ବସିଛନ୍ତି ।

ରାଜରାସ୍ତାରେ ଏକ ମାସରୁ ଅଧିକ ସମୟ ଧରି ଆନ୍ଦୋଳନରେ ଥିବା ଅଙ୍ଗନୱାଡି କର୍ମୀଙ୍କୁ ସମର୍ଥନ କରି ଆସନ୍ତାକାଲି ବିକ୍ଷୋଭ କରିବ ବିଜେପି ମହିଳା ମୋର୍ଚ୍ଚା । ଅଙ୍ଗନୱାଡି କର୍ମୀଙ୍କ ସମର୍ଥନରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ମହିଳା ମୋର୍ଚ୍ଚା । ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନଙ୍କ ଦାବି ନଶୁଣି ତାଙ୍କୁ ଖୋଲା ଆକାଶ ତଳେ ଛାଡି ଦେବା ଅଗଣତାନ୍ତ୍ରିକ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି । ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବ ମହିଳା ମୋର୍ଚ୍ଚା । ଏହାସହ ତୃଣମୂଳ ସ୍ତରରେ ସମସ୍ୟା ସୃଷ୍ଟି ହେଉଥିବାରୁ ଆଲୋଚନା ମାଧ୍ୟମରେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ସରକାରଙ୍କ ଉପରେ ଚାପ ପକାଇବ ।