ପିଲା ପଢିବେ ବୋଲି… ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ପାଇଁ ନିଜ ଦରମାରୁ ସଞ୍ଚି ଜାଗା କିଣିଦେଲେ ଦିଦି, ଗାଁରେ ଗଢାହେଲା ଅଙ୍ଗନୱାଡି । ମନ ଜିଣିନେଲେ ମମତା ଦିଦି…

1,290

କନକ ବ୍ୟୁରୋ: ନାଚଗୀତରେ ଚାଲିଛି ପାଠପଢା । ଅ, ଆ ଠୁ ଆରମ୍ଭ କରି ଜହ୍ନମାମୁ ଗପ, ବାଘ ମାମୁ ଗୀତ । ବଡ ହେଲେ ମୁଁ ଡାକ୍ତର ହେବି… ଗୀତର ତାଳେ ତାଳେ କୁନି କୁନି ପିଲାଙ୍କୁ ଭବିଷ୍ୟତର ଶିକ୍ଷା ଦେଉଛନ୍ତି ଦିଦି । ନାଚିଗାଇ, ଝୁମି ଖେଳି ଶିକ୍ଷାର ଆଦ୍ୟପର୍ବକୁ ଅତି ସହଜରେ ଶିକ୍ଷାଉଛନ୍ତି ଅଙ୍ଗନୱାଡି ଦିଦି ମମତା । ଆଉ ନୂଆ ନୂଆ ସିଲଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମଡାଉଥିବା… ଚକ, ଅଖ, କଟକ ନଗର, ଧବଳ ଟଗର ପଢୁଥିବା ଏ କଅଁଳ କଢିମାନେ ବି ଦିଦିଙ୍କ ପାଖରେ ବେଶ ସୁନାପିଲା ଭଳି ପାଠ ପଢୁଛନ୍ତି । ଅଙ୍ଗନୱାଡିକୁ ଦେଖିଲେ ଶୈଖିକ ବାତାବରଣର ବାସ୍ନା ବାରିହୋଇ ପଡୁଥିବା ବେଳେ ଏ ଅଙ୍ଗନୱାଡି ପଛରେ ଯେ ଏ ଦିଦିଙ୍କ ସ୍ୱପ୍ନ ଆଉ ପରିଶ୍ରମ ରହିଛି ତାହା ଜାଣିଲେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ ।

ପୁରୀ ନିମାପଡା ବ୍ଲକ କଣ୍ଟାବଣିଆ ଗାଁର ଅଙ୍ଗନୱାଡି କର୍ମୀ ମମତା ବେହେରା । ୨୦୦୬ ମସିହାରେ ଯୋଗ ଦେଇଥିଲେ । ୧୫ ବର୍ଷ ତଳେ ମମତା ଯେତେବେଳେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ ସେତେବେଳେ ଗାଁରେ ସ୍ଥାୟୀ ଗୃହଟିଏ ନଥିଲା । ପିଲାଙ୍କୁ ପଢାଇବାକୁ ୟା ଘର ତା ପିଣ୍ଡାରେ ଅସ୍ଥାୟୀ ଅଙ୍ଗନୱାଡି ଚଲାନ୍ତି ମମତା । ଖରା, ବର୍ଷା, ଶୀତରେ କୁନି କୁନି ପିଲା ହଇରାଣ ହେଉଥିବା ଦେଖି ସ୍ଥାୟୀ ଘରଟିଏ ପାଇଁ ମନେମନେ ସଙ୍କଳ୍ପ ନେଇଥିଲେ ମମତା । ଗାଁରେ ଅନାବାଦୀ ଜାଗା ନଥିବାରୁ ଅଙ୍ଗନବାଡି ପାଇଁ ସରକାରୀ ଅର୍ଥ ଆସି ବାରମ୍ବାର ଫେରିଯାଉଥିଲେ ହେଁ ସେ ନିରୁପାୟ ଥିଲେ । ତେଣୁ ବାଧ୍ୟ ହୋଇ ନିଜ ଟଙ୍କାରେ ଏକ ଜାଗା କିଣି ସରକାରଙ୍କୁ ଦାନ କରିଦେଲେ ମମତା ।

ସେସମୟରେ ପାଉଥିବା ଏକ ହଜାର ଟଙ୍କାରୁ ବି ଜାଗା କିଣିବାକୁ ଟଙ୍କା ସଞ୍ଚୟ କରି ରଖୁଥିଲେ । ଆଉ ଯେବେ ସଞ୍ଚୟ ୭୦ ହଜାର ଛୁଇଁଲା ସେବେ ନିଜ ଗାଁରେ ଜାଗାକିଣି ଅଙ୍ଗନୱାଡି ନିର୍ମାଣ ପାଇଁ ସରକାରଙ୍କୁ ହସ୍ତାନ୍ତର କରିଥିଲେ । ବାସ୍ ତାପରେ ଗାଁରେ ଗଢାହେଲେ ଶିକ୍ଷା ଆରମ୍ଭର ମଣିଷ ତିଆରି କାରଖାନା । ଅଙ୍ଗନୱାଡି ନିର୍ମାଣ ପାଇଁ ମମତାଙ୍କ ଏଭଳି ମହାନତାକୁ ଭୁରି ଭୁରି ପ୍ରଶଂସା କରନ୍ତି ଗାଁ ଲୋକେ ।

ତେବେ ପରିବାରର ଆର୍ଥିକ ଅନଟନ ସତ୍ୱେ ସ୍ୱାମୀଙ୍କୁ ଲୁଚାଇ ଟଙ୍କା ସଞ୍ଚୟ କରି ଗାଁରେ ପିଲାଙ୍କ ପାଇଁ ଗଢି ଦେଇଛନ୍ତି ଏ ଅଙ୍ଗନୱାଡି । କୁନି କୁନି ପିଲା ବି ତାଙ୍କ ପିଲା ପରି, ନିଜ ପିଲାମାନେ ହଇରାଣ ହେଉଥିବା ଦେଖିନପାରି ଏମିତି ଏକ ଉଦ୍ୟମ କରି ଏବେ ଗାଁର ଆଦର୍ଶ ମହିଳା ହୋଇପାରିଛନ୍ତି ମମତା । ସତରେ ତାଙ୍କର ଏପରି କାର୍ଯ୍ୟ ଓଡିଶାର ଅନ୍ୟ ଅଙ୍ଗନୱାଡି ଦିଦିଙ୍କୁ ପ୍ରେରଣା ଯୋଗାଇବ ।