ଦିଦି ହେବ ତ ଏମିତି । ବାତ୍ୟା ଭାଙ୍ଗି ଦେବାପରେ ନିଜ ଖର୍ଚ୍ଚରେ ପିଲାଙ୍କ ପାଇଁ ତିଆରି କଲେ ଅଙ୍ଗନୱାଡି ଘର, ଚାରିଆଡୁ ଛୁଟିଲା ପ୍ରଂଶସାର ଛୁଅ
କନକ ବ୍ୟୁରୋ : ଦିଦି ହେବ ତ ଏମିତି । ଯେମିତି ଦିଦି ହୋଇଛନ୍ତି ପିପିଲିର ପ୍ରତିମା ମହାରଣା । ଏବେ ପ୍ରତିମା କିଛି ଏପରି କାମ କରିଛନ୍ତି ଯାହାକୁ ନେଇ ପୁରା ଅଂଚଳରେ ଏବେ ତାଙ୍କୁ ନେଇ ଚର୍ଚା । ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ବଲପୁର ପଣ୍ଡା ସାହିରେ ସେ ନିଜ ଉଦ୍ୟମରେ ତିଆରି କରିଛନ୍ତି ଆଦର୍ଶ ଅଙ୍ଗନୱାଡିି କେନ୍ଦ୍ର । ଫୋନି ଝଡରେ ପୁରା ଭାଂଗି ଯାଇଥିଲା ଗାଁର ଅଙ୍ଗନୱାଡିି କେନ୍ଦ୍ରର ଘର । ଗାଁର କୁନି କୁନି ପିଲାମାନେ ପାଠ ପଢିବା ଓ ଖେଳିବା ପାଇଁ ସମସ୍ୟାର ଶିକାର ହୋଇଥିଲେ । ଏସବୁ ଦେଖିବା ପରେ ପ୍ରତିମା ଆଉ ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଦରମା ଟଙ୍କାରେ ଆରମ୍ଭ କରିଥିଲେ ଘର କାମ । ଝାଟିମାଟିରେ ତିଆରି କରିଥିଲେ ଏକ ଛୋଟିଆ ଘର । ଉପରେ ପକାଇ ଦେଇଥିଲେ ତମ୍ବୁ । ବାସ୍ ପିଲାଙ୍କ ମୁଣ୍ଡକୁ ଏଥିରେ ଛାତ ମିଳି ଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ସେତିକି ନୁହଁ ଅଙ୍ଗନୱାଡିି ପରିବେଶକୁ ସୁନ୍ଦର କରିବାକୁ ଘର ଆଗରେ ତିଆରି କଲେ ଏକ ଫୁଲ ବଗିଚା । ପିଲାମାନେ ଖେଳିବା ପାଇଁ କିଛି ଖେଳନା ମଧ୍ୟ କିଣି ଦେଲେ । କେନ୍ଦ୍ରରେ ପିଲାମାନେ କିପରି ଭଲ ଭାବେ ପଢିବେ , ଖୁସିରେ ଖେଳିବେ ସେ ନେଇ ସବୁ ବ୍ୟବସ୍ଥା କରିଦେଇଛନ୍ତି । ପ୍ରତିମା ଦିଦିଙ୍କ ଏପରି କାମ ଦେଖିବା ପରେ ସାରା ଅଂଚଳରେ ତାଙ୍କର ଚର୍ଚା । ରାଜ୍ୟ ଶିଶୁ ବିକାଶ ମନ୍ତ୍ରୀ ଏକଥା ଜାଣିବା ପରେ ଏହି ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନରେ ଆସି ପ୍ରତିମାଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି । ପ୍ରତିମାଙ୍କ ଏପରି ଉଦ୍ୟମ ପ୍ରଶଂସା କରିବା ସହ ଖୁବଶୀଘ୍ର ସେଠାରେ ନୂଆ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ରଖି ଯାଇଛନ୍ତି ।