କନକ ବ୍ୟୁରୋ : ଚର୍ଚ୍ଚାରେ ଅଙ୍ଗନୱାଡି ସହାୟିକାଙ୍କ ପୁଅ । ଯିଏ ୟୁପିଏସସି ପରୀକ୍ଷାରେ କେବଳ କୃତକାର୍ଯ୍ୟ ହୋଇନାହାନ୍ତି ବରଂ ସମସ୍ତଙ୍କୁ ଚକିତ କରିଛନ୍ତି । ଆଉ ଏହାସହ ସଂଘର୍ଷ ଭିତରେ ସଫଳତା ହାସଲ କରିବାର ନୂଆ ଉଦାହରଣ ସାଜିଛନ୍ତି କୃଷ୍ଣପାଲ ସିଂ ରାଜପୁତ । ମାତ୍ର ୨୩ ବର୍ଷ ବୟସରେ ୟୁପିଏସସି ପରୀକ୍ଷାରେ ୩୨୯ ରାଙ୍କରେ ରହି ସମଗ୍ର ପରିବାର ଓ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କୃଷ୍ଣପାଲ ସିଂ ରାଜପୁତ । ନିୱାଡୀ ଜିଲ୍ଲାର ପୃଥ୍ବୀପୁର ତହସିଲର ପପାବନି ନେଗୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା କୃଷ୍ଣପାଲ ସିଂ ତାଙ୍କ ପରିବାର ସହିତ ଓରଛାରେ ରୁହନ୍ତି । ତାଙ୍କ ମା ମମତା ରାଜପୁତ୍ ପପାବନି ଗାଁର ଅଙ୍ଗନବାଡିରେ ସହାୟିକା ହୋଇଥିବାବେଳେ ପିତା ରାମକୁମାର ରାଜପୁତ ଓରଛା ଜିଲ୍ଲା କୋର୍ଟରେ ଓକିଲାତି କରନ୍ତି । କୃଷ୍ଣପାଲ ସିଂ ତାଙ୍କ ଗାଁରେ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ଅଷ୍ଟମ ପର୍ଯ୍ୟନ୍ତ ସେ ଓରଛାରେ ଏବଂ ନିୱାଡୀରେ ଦଶମ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ପରେ ଗ୍ୱାଲିଅରରୁ ସେ ଦ୍ୱାଦଶ ଏବଂ ଇଂରାଜୀ ସାହିତ୍ୟରେ ସ୍ନାତକ ହାସଲ କରିଥିଲେ । ଦିଲ୍ଲୀରୁ ୟୁପିଏସସି ପାଇଁ କୃଷ୍ଣପାଲ ସିଂ ନିଜର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲେ । ଅଗଷ୍ଟ ୧୯୯୯ ରେ ଜନ୍ମଗ୍ରହଣ କରିଥିବା କୃଷ୍ଣପାଲ ସିଂ ସବୁବେଳେ ଅଧ୍ୟୟନରେ ବ୍ୟସ୍ତ ରହୁଥିବା କଥା କହିଛନ୍ତି । ପୁଅ ୟୁପିଏସସିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଖୁସିର ବାପା ରାମକୁମାର ରାଜପୁତ କହିଛନ୍ତି ଯେ, ତାଙ୍କ ପୁଅ ସବୁବେଳେ ପାଠପଢାରେ ମଜ୍ଜି ରହୁଥିଲା । ଆଉ ଆଜି ତାଙ୍କୁ ସେହି ପରିଶ୍ରମର ଫଳ ମିଳିଛି ।
କୃଷ୍ଣପାଲ ସିଂ ଖୁବ ପରିଶ୍ରମ କରି ଦ୍ୱିତୀୟ ଥରରେ ଏହି ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ୟୁପିଏସିରେ ଯେତେବେଳେ ସେ ପ୍ରଥମ ଥର ସଫଳ ହୋଇନଥିଲେ, ଦ୍ୱିତୀୟ ଥରରେ ସେ ସେହି ତ୍ରୁଟିଗୁଡ଼ିକୁ ସଂଶୋଧନ କରି ସଫଳତା ହାସଲ କରିଥିବା କହିଛନ୍ତି।