ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି । ସେପଟେ ଓଏସଏସସି ଅଫିସ ଆଗରେ ଆଶାୟୀଙ୍କ ଆନ୍ଦୋଳନ

215

କନକ ବ୍ୟୁରୋ: ନିଜର ହକ୍ ପାଇଁ ରାଜଧାନୀ ରାଜପଥରେ ଲଢେଇ କରୁଛନ୍ତି ଅଙ୍ଗନବାଡି ଦିଦି ଓ ସହାୟିକା । ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଅଙ୍ଗନବାଡି କର୍ମୀ ଓ ସହାୟିକା ପଡି ରହିଛନ୍ତି । ସାଙ୍ଗରେ ଆଣିଥିବା ପଖାଳ ସାଙ୍ଗକୁ ଆଳୁ ସିଝା ଓ କଞ୍ଚା ଲଙ୍କା ଖାଉଛନ୍ତି ଅଙ୍ଗନବାଡି ଦିଦି । ଦୂରଦୂରାନ୍ତରୁ ଆସୁଥିବା ଆନ୍ଦୋଳନକାରୀ ମହିଳା ସାଙ୍ଗରେ ଆଣିଥିବା ପଖାଳ ଖାଉଥିବାର ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି ।

ତେବେ କମ୍ ଦରମା ମିଳୁଥିବାରୁ ବାହାରୁ ଖାଦ୍ୟ କିଣି ଖାଇବା ସେମାନଙ୍କ ପକ୍ଷେ ସମ୍ଭବ ହେଉନଥିବା କହିଛନ୍ତି । ସେପଟେ ସହାୟିକା ନିଜ ପିଲାଙ୍କୁ କାଖରେ ଧରି ଧାରଣାରେ ବସିରହିଛନ୍ତି । ସରକାରୀ କର୍ମଚାରୀ ମାନ୍ୟତା, କର୍ମୀଙ୍କୁ ମାସିକ ୧୮ ହଜାର ଟଙ୍କା, ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ଦେବାକୁ ଦାବି କରୁଛନ୍ତି ଆନ୍ଦୋଳନକାରୀ । ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିଲେ ସୁଦ୍ଧା ସରକାର ଶୁଣୁନଥିବାରୁ ଆଜିଠାରୁ ଅହୋରାତ୍ର ଧାରଣା ଦେଇଛି ଅଙ୍ଗନବାଡି କର୍ମଚାରୀ ସଂଘ ।

  • ଓଏସଏସସି ଅଫିସ ଆଗରେ ଆନ୍ଦୋଳନ
  • ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ୍ କାର୍ଯ୍ୟାଳୟ ବାହାରେ ଚାକିରି ଆଶାୟୀଙ୍କ ପ୍ରତିବାଦ । ରେଗୁଲାର ହାଇସ୍କୁଲ ଟିଚର ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ପ୍ରତିବାଦ କରିଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷାରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ କରି ଏମାନେ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ପୁନଃ ପରୀକ୍ଷା ଦାବି କରି ପରୀକ୍ଷାର୍ଥୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ପ୍ରଶ୍ନପତ୍ର କାହିଁକି ଭୁଲ ଆସିଲା ଏହାର ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି ।

ସୂଚନାଯୋଗ୍ୟ ଯେ, ବିଧାନସଭା ଆସିଲେ ଆରମ୍ଭ ହୁଏ ପ୍ରତିବାଦର ଋତୁ । ଭୁବନେଶ୍ୱର ଲୋୟର ପିଏମଜି ପାଲଟିଯାଏ ଧାରଣାସ୍ଥଳ । ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଲେ ଧାରଣା ହଟେ । ହେଲେ ଚଳିତଥର ବିଭିନ୍ନ ସଂଗଠନ ଯେମିତି ନିଜ ନିଜ ଜିଦରେ ଅଡି ରହିଛନ୍ତି । ତେଣୁ ପ୍ରତିଶ୍ରୁତି ନୁହେଁ ବରଂ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ।