୪କୋଟିର ମାଲିକାଣୀ ଅଙ୍ଗନୱାଡି ଦିଦି : ସମସ୍ତ ଅଭିଯୋଗକୁ କଲେ ଖଣ୍ଡନ, କହିଲେ ବହୁ ପରିଶ୍ରମ କରି ଆଜି ଏଠି ପହଞ୍ଚିଛି

ଭୁବନେଶ୍ୱରରେ ରହିଛି ୪ଟି କୋଠା ଓ ୧୦ଟି ଜମି, ୬ଟି ଭିଜିଲାନ୍ସ ଟିମ ୬ଟି ସ୍ଥାନରେ ଚଢାଉ କରି ସାମ୍ନାକୁ ଆଣିଲା ତାଜୁବ କଲା ଭଳି ସମ୍ପତିର ତାଲିକା; ଅଣ୍ଡା ଓ ଛତୁଆ ଯୋଗାଣରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ

278

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି । ୪ କୋଟି ଟଙ୍କାର ମାଲିକାଣୀ ଅଙ୍ଗନବାଡ଼ି ଦିଦି କବିତା ମଥାନ । କୌଣସି ଜଣେ ଶିଳ୍ପପତିଙ୍କଠାରୁ ବି କମ୍‌ ନୁହେଁ। ରାଜଧାନୀରେ ରହିଛି ୪ କୋଠାଘର ଓ ୧୦ଟି ପ୍ଲଟ୍‌ । ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବି ଏକାଧିକ କୋଠାଘର। ସୁନା ଗହଣା, ବ୍ୟାଙ୍କ ବାଲାନ୍ସ ବି କିଛି କମ୍‌ ନାହିଁ । ଏବେ ସୁଦ୍ଧା ପାଖାପାଖି ୪କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ‌ଠାବ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦି କବିତା ମଥାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଚକିତ କଲା ଭଳି ଏସବୁ ତଥ୍ୟ ପଦାକୁ ଆସିଛି । ଜଣେ ଅଙ୍ଗନବାଡି କର୍ମୀଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେମିତି ଆସିଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ୬ଟି ଟିମ୍‌ ଏକାସଙ୍ଗେ କବିତା ମଥାନଙ୍କ ରାଜଧାନୀ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ୬ଟି ସ୍ଥାନରେ ଚଢ଼ଉ କରିଥିଲା। ଭୁବନେଶ୍ୱର କେଶୁରା ସ୍ଥିତ ଏକ ୩ ମହଲା ଘର, ଝାରପଡ଼ାରେ ଗୋଟିଏ ୪ମହଲା ଘର ଏବଂ ୨ଟି ୨ ମହଲା ଘରେ ଚଢ଼ଉ କରିଥିବାବେଳେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ମଧ୍ୟ ଭିଡିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଏହି ଚଢ଼ଉ ବେଳେ ଭିଜିଲାନ୍ସ କବିତାଙ୍କର ଭୁବନେଶ୍ବରର ୧୦ଟି ପ୍ଲଟ୍‌ ସମତେ ମୋଟ ୧୪ଟି ଜମିକୁ ଠାବ କରିଥିଲା । ଏଥିରୁ ଜଗତସିଂହପୁରରେ ୩ଟି ପ୍ଲଟ ଥିବା ବେଳେ ବାଲିଅନ୍ତାରେ ଗୋଟିଏ ପ୍ଲଟ ରହିଛି । ଏହାଛଡ଼ା ତାଙ୍କ ଘରୁ ୨୧୨ ଗ୍ରାମ ଓଜନର ସୁନାଗହଣା, ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ, ୨.୨ଲକ୍ଷର ଇନ୍ସ୍ୟୁରାନ୍ସ ବଣ୍ଡ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ କରି ଯାଞ୍ଚ କରାଯାଉଛି ।

ଅନ୍ୟପଟେ କବିତା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋର କିଛି ଆୟ ବହିର୍ଭୂତ ସମ୍ପତ୍ତି ନାହିଁ। ଆମେ ବହୁ ପରିଶ୍ରମ କରି ଆଜି ଏଠି ପହଞ୍ଚିଛୁ । ମୁଁ ସାଢ଼େ ୭ହଜାର ଟଙ୍କା ଦରମା ପାଉଛି ସତ; ହେଲେ ପିଲାଙ୍କୁ ଟ୍ୟୁସନ୍‌ କରିବା ଠାରୁ ଆରମ୍ଭ କରି ଜଳଖିଆ ଦୋକାନ, ସ୍କୁଲରେ କ୍ୟାଣ୍ଟିନ କରିବା ଆଦି ଅନେକ କାମ କରିଛି । ସ୍ବାମୀ ମଧ୍ୟ ରିଏଲ୍‌ ଇଷ୍ଟେଟ୍‌ କାମ କରନ୍ତି । ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ମଧ୍ୟ ଅଛି। ଆମ ଝାଳବୁହା ଧନରେ ସମ୍ପତ୍ତି କରିଛୁ । ଯେହେତୁ ଆମେ ତଳୁ ଉପରକୁ ଉଠିଛୁ; ତେଣୁ କେତେକ ଲୋକ ଆମକୁ ସହିନପାରି ଆମ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି ।