ବର୍ଷେ ହେଲା ପଲିଥିନ୍ ତଳେ ଚାଲିଛି ଅଙ୍ଗନୱାଡି । ଫଟୋ ଉଠା ଓ ସର୍ଭେରେ ସୀମିତ କେନ୍ଦ୍ର ଘର ନିର୍ମାଣ, ବାଲେଶ୍ୱରରୁ ସାମ୍ନାକୁ ଆସିଲା ଉଲଗ୍ନ ଅଙ୍ଗନୱାଡି କେନ୍ଦ୍ରର ଚିତ୍ର ।

185

କନକ ବ୍ୟୁରୋ : ଦିନେ କି ମାସେ ନୁହେଁ ବର୍ଷେ ହେଲା ପଲିଥିନ୍ ତଳେ ଚାଲିଛି ଅଙ୍ଗନୱାଡି । ଏହାରି ଭିତରେ ବସି ପାଠପଢୁଛନ୍ତି କୁନି କୁନି ପିଲା । ଅଙ୍ଗନୱାଡି ଘର ନିର୍ମାଣ ପାଇଁ ବାରମ୍ବାର ନିବେଦନ ପରେ କେବଳ ଫଟୋ ଉଠାଇ ସର୍ଭେ କରି ଚୁପ୍ ବସିଛି ପ୍ରଶାସନ । ବାଲେଶ୍ୱରରୁ ସାମ୍ନାକୁ ଆସିଛି ଉଲଗ୍ନ ଅଙ୍ଗନୱାଡି କେନ୍ଦ୍ରର ଅସଲ ଚିତ୍ର ।

ପଲିଥିନ୍ ତଳେ ଅଙ୍ଗନୱାଡି । ଫଟୋ ଉଠା ଓ ସର୍ଭେରେ ବିତିଲାଣି ବର୍ଷେ । ଉପରେ ପଲିଥିନ୍ ତଳେ କୁନି କୁନି ପିଲା । କାନ୍ଥ ବୋଲି କିଛି ନାହିଁ । ଏମତି ଚାଲିଛି ବାଲେଶ୍ୱର ସହର ଭିତରେ ଥିବା ଅଙ୍ଗନୱାଡି କେନ୍ଦ୍ର । ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପ୍ରାରମ୍ଭିକ ଶିକ୍ଷା ଏବଂ ଗର୍ଭବତୀ ମହିଳାଙ୍କୁ ଔଷଧ ଓ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ରହିଛି ସରକାରଙ୍କ ଅଙ୍ଗନୱାଡି କେନ୍ଦ୍ର । ଆଉ ବିଭିନ୍ନ ଯୋଜନା ମାଧ୍ୟମରେ ଅଙ୍ଗନୱାଡି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ବାଲେଶ୍ୱର ସହରର ଗୋଧିବସା ଅଙ୍ଗନୱାଡି କେନ୍ଦ୍ର୍ରର ଅବସ୍ଥା ଦେଖିଲେ ଯେ, କେହି ବି ପ୍ରଶ୍ନ କରିବେ ସରକାରୀ ଯୋଜନା କାହା ହାତରେ ।

ବାଲେଶ୍ୱର ପୌରପାଳିକା ଅଧୀନରେ ୧୧୬ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଗୋଧିବସା ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ପଲିଥିନ୍ ତଳେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା । ପୂର୍ବରୁ କେନ୍ଦ୍ରଟି ସ୍ଥାନୀୟ କ୍ଲବ ଘରେ ଚାଲୁଥିବା ଏବେ ସେହି ଘରଟି ଭାଙ୍ଗି ଯାଇଛି । ତେଣୁ ପ୍ରାୟ ବର୍ଷେ ହେବ ୭୦ ଜଣ ପିଲା ଏମିତି ପାଠପଢୁଛନ୍ତି । ଘର ଯୋଗାଇ ଦେବା ପାଇଁ ପ୍ରଶାସନ କେବଳ ଫଟୋ ଉଠାଇ ସର୍ଭେ କରି ଚୁପ ବସିଥିବା ଅଭିଯୋଗ ହୋଇଛି । ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଅଭିଭାବକମାନେ ପିଲାଙ୍କୁ ଘରୋଇ ସ୍କୁଲରେ ଛାଡୁଛନ୍ତି । ଆଉ ଯେଉଁମାନେ ସରକାରୀ ସ୍କୁଲ ହେଉ ବା ଅଙ୍ଗନୱାଡି କେନ୍ଦ୍ରକୁ ଆସୁଛନ୍ତି ସେମାନେ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ମୁହଁ ଫେରାଇ ନେଉଛନ୍ତି ।