ଦରମା ଦାବିରେ ରାଜରାସ୍ତାରେ ଦିଦି ! ଶୁଣୁନାହାନ୍ତି ସରକାର, ୨୫ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଅଙ୍ଗନୱାଡି କର୍ମୀ

21

କନକ ବ୍ୟୁରୋ : ରାତିର ଅନ୍ଧାରରେ ରାସ୍ତାରେ ଶୋଇ ରହିଛନ୍ତି ଅଙ୍ଗନୱାଡି ଦିଦି । ସାଙ୍ଗରେ ଅଛନ୍ତି ଛୋଟ ଛୋଟ ଶିଶୁ ମଧ୍ୟ ରହିଛନ୍ତି । ଗତ ୨୫ ଦିନ ଧରି ରାଜଧାନୀର ରାଜରାସ୍ତାରେ ଏଭଳି ଭାବେ ଜୀବନ ଅତିବାହିତ କରୁଛନ୍ତି ଅଙ୍ଗନୱାଡି କର୍ମୀ । ବର୍ଷା ଖରାକୁ ଖାତିର ନକରି ଅନ୍ଦୋଳନରେ ବସି ରହିଛନ୍ତି ଅଙ୍ଗନୱାଡି କର୍ମୀ ।  ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଅଙ୍ଗନୱାଡି କର୍ମୀ । ଦିନକୁ ଦିନ କାର୍ୟ୍ୟଭାର ବଢୁଥିବାବେଳେ ସେହି ହାରରେ ଆର୍ଥିକ ଅଭିବୃଦ୍ଧି ହେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାଛଡା ଆନୁସଙ୍ଗୀକ ଭତ୍ତା ବାବଦରେ ବୈଠକ ପିଛା ୧୩୦ ଟଙ୍କା ସେମାନଙ୍କୁ ମିଳିବା କଥା । କିନ୍ତୁ ତାହା ଠିକ ଭାବେ ଦିଆଯାଉ ନାହିଁ । ସେହିପରି ଗର୍ଭବତୀ ମହିଳାଙ୍କ ସେବା ବାବଦରେ ୨୦୦ଟଙ୍କା ଅର୍ଥ ମିଳିବାକୁ ଥିବା ବେଳେ ତାହା ମଧ୍ୟ ମିଳୁ ନଥିବା ଅଭିଯୋଗ ହୋଇଛି । ୨୫ ଦିନ ହେଲା ସେମାନେ ଆନ୍ଦୋଳନ କରୁଥିଲେ ବି ସରକାର ତାଙ୍କ କଥା ଶୁଣୁ ନଥିବା ଅଭିଯୋଗ କରିଛନ୍ତି ।

ସେପଟେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧୀୟ ଅନେକ କାମ ବାଧାପ୍ରାପ୍ତ ହୋଇଛି । ପିଲାଛୁଆଙ୍କୁ ଧରି ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ । ରାଜଧାନୀରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତି ପ୍ରାୟ ୧ ଲକ୍ଷ ୩୮ ହଜାର ଅଙ୍ଗନୱାଡି କର୍ମଚାରୀ । ଆଉ ଅଙ୍ଗନବାଡି ଦିଦି ଧାରଣାରେ ବସିବା ପରେ ରାଜ୍ୟର ପ୍ରାୟ ୭୨ ହଜାର ଅଙ୍ଗନୱାଡି ସେଂଟରରେ ପଡିଛି ତାଲା । ପୃଷ୍ଟିକର ଖାଦ୍ୟ ବଂଟନ,ଟିକାକରଣ ସହ ସ୍ୱାସ୍ଥ୍ୟ ସହାୟତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ଅଙ୍ଗନୱାଡି କର୍ମୀ କରିଥାନ୍ତି । ଏବେ ସେମାନେ ଆନ୍ଦୋଳନକୁ ଆସିଯିବା ପରେ ଅନେକ ଗରୁତ୍ୱପୂର୍ଣ୍ଣ ସେବା ବ୍ୟାହତ ହୋଇ ପଡିଛି  ।