କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ ମହାନିଲାମୀ । ଚଳିତ ଆଇପିଏଲ ମହାନିଲାମୀରେ ୮ଟି ବଦଳରେ ୧୦ଟି ଦଳ ଭାଗ ନେବେ । ନୂଆ କରି ଭାଗ ନେଇଥିବା ଦୁଇ ଟିମ୍ ଚଳିତ ମହାନିଲାମୀରେ ସାମିଲ ହେବାକୁ ଥିବାରୁ ଏହା ରୋଚକ ହେବାକୁ ଯାଉଛି । କିଏ କେଉଁ ଖେଳାଳୀଙ୍କୁ କିଣିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଖାସକରି ନୂଆ କରି ସାମିଲ ହୋଇଥିବା ୨ଟି ଟିମ୍ କେଉଁ ଖେଳାଳୀଙ୍କୁ କିଣୁଛି, କିଏ ଏହାର କୋଚ ଭାର ସମ୍ଭାଳୁଛନ୍ତି ଓ କାହାକୁ ଅଧିନାୟକ ଦାୟିତ୍ୱ ମିଳୁଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏହାଭିତରେ ଲକ୍ଷ୍ନୌ ଟିମକୁ ନିଜର ନୂଆ କୋଚ୍ ମିଳିଛି ।
ଲକ୍ଷ୍ନୌ ଟିମ୍ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ କୋଚ୍ କରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ଫ୍ଲାୱାରଙ୍କୁ ୨୦୨୨ ଆଇପିଏଲ ସିଜିନ୍ ପାଇଁ ଲକ୍ଷ୍ନୌ ଟିମର ମୁଖ୍ୟ କୋଚ୍ ଦାୟିତ୍ୱ ମିଳିଛି । ଏହାପୂର୍ବରୁ ଫ୍ଲାୱାର ଅନୀଲ କୁମ୍ବେଲଙ୍କ ସହଯୋଗୀ ଭାବେ ପଞ୍ଜାବ କିଙ୍ଗସ ପାଇଁ କାମ କରିଛନ୍ତି । ଏହାଛଡା ଫ୍ଲାୱାରଙ୍କ ପାଖରେ ଥିବା ଅନୁଭବ ହିଁ ଲକ୍ଷ୍ନୌ ଟିମକୁ ଫାଇଦା ଦେଇପାରେ । ଏହାପୂର୍ବରୁ ମଧ୍ୟ ଫ୍ଲାୱାର କୋଚ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜିମ୍ବାୱେର ଏହି କ୍ରିକେଟର ଇଂଲଣ୍ଡର ଜାତୀୟ ଟିମର କୋଚ୍ ରହିଛନ୍ତି । ଆଉ ତାଙ୍କର କୋଚିଂ ସମୟରେ ହିଁ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହେବା ସହ ଟେଷ୍ଟ ରାକିଂରେ ପ୍ରଥମ ସ୍ଥାନ ହାସଲ କରିଥିଲା ।
The Lucknow franchise of the Indian Premier League has confirmed Andy Flower as the head coach of the team. #IPL2022@vijaymirror with the details ⏬https://t.co/M5aRrnqjXw
— Cricbuzz (@cricbuzz) December 17, 2021
ଏହି ଦାୟିତ୍ୱ ମିଳିବା ପରେ ଫ୍ଲାୱାର କହିଛନ୍ତି, ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ଟିମର ଫ୍ରଞ୍ଚାଇଜ ସହ ଯୋଡି ହୋଇଥିବାରୁ ମୁଁ ବେଶ ଉତ୍ସାହିତ ଅଛି । ଆଉ ଏଭଳି ସୁଯୋଗ ପାଇଥିବାରୁ ଗର୍ବିତ । ୧୯୯୩ରେ ଭାରତ ଗସ୍ତରେ ଆସିବା ପରଠାରୁ ଏଠାରେ ଖେଳିବା ଓ କୋଚିଂ ଦେବାକୁ ମୁଁ ବହୁତ ପସନ୍ଦ କରେ । ଭାରତରେ କ୍ରିକେଟକୁ ନେଇ ଏକ ଭିନ୍ନ ପ୍ରକାର କ୍ରେଜ ରହିଛି । ଆଇପିଏଲ ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱଗ୍ରହଣ କରିବା ମୋ ପାଇଁ ସମ୍ମାନର କଥା ।
ଅନ୍ୟପଟେ ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା କହିଛନ୍ତି, ଜଣେ କ୍ରିକେଟର ଓ କୋଚ ଭାବେ ଫ୍ଲାୱାର ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ଆମ ଟିମର ଭିଜନ ଅନୁଯାୟୀ ସେ କାର୍ଯ୍ୟ କରିବେ ବୋଲି ଆଶା । ଅନ୍ୟପଟେ ଲକ୍ଷ୍ନୌ ଟିମର ଅଧିନାୟକ କିଏ ହେବ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି ।