ଆନ୍ଧ୍ରରୁ ଆସୁଛି ଚୋରା କ୍ଷୀର । ବ୍ରିକି ପାଇଁ ମନା ଥିବା ସତ୍ତ୍ୱେ ଓଡ଼ିଶାରେ ଚାଲିଛି ବିକ୍ରି

242

କନକ ବ୍ୟୁରୋ: କୋଟିଆ ପରେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକାରେ ଏବେ ଆନ୍ଧ୍ର କ୍ଷୀର ବିକ୍ରିକୁ ନେଇ ଚର୍ଚ୍ଚା । ଆନ୍ଧ୍ରରୁ ଆସୁଥିବା ଏହି କ୍ଷୀର ପ୍ୟାକେଟ ଉପରେ ରହିଛି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ । ଆହୁରି ମଧ୍ୟ ଲେଖାଯାଇଛି ଏହା ବିକ୍ରି ପାଇଁ ନୁହେଁ କିନ୍ତୁ ଅବାଧରେ ଚାଲିଛି ଏହି କ୍ଷୀର ବିକ୍ରି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କ ଚିତ୍ର ଥିବା “ବିଜୟ ଭାଜର’ ନାମକ କ୍ଷୀର ପ୍ୟାକେଟ୍ ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ, ଏହି କ୍ଷୀର ଆନ୍ଧ୍ରରେ ହିଁ ବିକ୍ରି ହେବା କଥା  । ହେଲେ ଓଡ଼ିଶାରେ କେମିତି ? କିନ୍ତୁ ଏହାର ଉତ୍ତର କାହାରି ପାଖରେ ନାହିଁ  ।

ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀର ପ୍ୟାକେଟ୍ କନ୍ଧମାଳ ଜିଲ୍ଲାର କୋଟଗଡ଼ ବଜାରରେ ବିକ୍ରି ହେଉଛି  । ପ୍ୟାକେଟ ଉପରେ ଲେଖାଯାଇଛି, ଯେ ଏହା ବିକ୍ରି ପାଇଁ ନୁହେଁ, ବରଂ ମାଗଣାରେ ଦିଆଯିବାକୁ ଉଦ୍ଦିଷ୍ଟ  । ହେଲେ କୋଟଗଡ଼ ବଜାର ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଜାଗାରେ ଏହି କ୍ଷୀର ବିକ୍ରି ହେଉଛି  । ତେବେ ଆନ୍ଧ୍ରର ଏହି କ୍ଷୀର କେମିତି ଓଡ଼ିଶାକୁ ଆସିଛି ଓ ଖୁଲମ ଖୁଲା ବିକ୍ରି ହେଉଛି, ତାହା ଏବେ ବଡ଼ ପ୍ରଶ୍ନ…

ସେପଟେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ମଧ୍ୟ ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀର ବିକ୍ରି ହେଉଛି ।  ଜଗନମୋହନ ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶର ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ପାଇଁ ଏହି କ୍ଷୀର ଦିଆଯାଏ  । ହେଲେ ଏହା ଏବେ ଲିଟର ପିଛା ୪୦ ଟଙ୍କା ହିସାବରେ ପଟାଙ୍ଗୀ ବଜାରରେ ବିକ୍ରି ହେଉଛି  ।  କୋଟିଆ ଭଳି ସୀମା ବିବାଦ ଭିତରେ କ୍ଷୀର ପ୍ୟାକେଟ ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଏହି ଅଞ୍ଚଳରେ ସନ୍ଦେହ ସୃଷ୍ଟି କରିଛି  ।