ପୁଣି ଆନ୍ଧ୍ରର ଦାଦାଗିରି । ବନ୍ଧ ନିର୍ମାଣ କରି ଅଟକାଉଛି ଜଳ । ଶୁଖିଲା ପଡ଼ିଛି ଓଡିଶାର ଅନେକ ଅଞ୍ଚଳ । କୂତ୍ରିମ ମରୁଡ଼ି ଆଶଙ୍କା ।

62

କନକ ବ୍ୟୁରୋ: ଶୁଖିଲା ପଡ଼ିଥିବା ଅଞ୍ଚଳ ହେଉଛି ଓଡ଼ିଶାର ଆଉ ପାଣିରେ ଭରପୁର ଥିବା ଅଞ୍ଚଳ ହେଉଛି ଆନ୍ଧ୍ରପ୍ରଦେଶର । କିଛି ଏଭଳି ଜଳ ସଂକଟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ । ଏଠାକାର ଲାଇଫଲାଇନ୍ କୁହାଯାଉଥିବା ମହେନ୍ଦ୍ରତନୟା ନଦୀର ଜଳ ଉପରେ ନିର୍ଭର କରନ୍ତି ପାରଳାଖେମୁଣ୍ଡି ଓ ଏହାର ଆଖପାଖ ଅଂଚଳ । କିନ୍ତୁ ଗତ କିଛି ଦିନ ମଧ୍ୟରେ ନଦୀର ଜଳସ୍ତର ହ୍ରାସ ପାଇଛି । ଉପରମୁଣ୍ଡରେ ଆନ୍ଧ୍ରପ୍ରଦେଶ ନଦୀର ପାଣି ଅଟକାଉଥିବାରୁ ଏପରି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପାଣି ଅଟକାଇ ଆନ୍ଧ୍ର ନିଜ ଅଞ୍ଚଳର ପୋଖରୀ ଭରିବା ସହ ଖରାଦିନିଆ ଚାଷରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ଓଡ଼ିଶାର ଗୋଷାଣୀ ବ୍ଲକ ଅମରା ଗ୍ରାମ ଓ ଆନ୍ଧ୍ରର ରାଟିଣୀ ଉପର ମୁଣ୍ଡରେ ପ୍ରବାହିତ ଜଳକୁ ସେଠାରେ ବନ୍ଧ ନିର୍ମାଣ କରି ସମ୍ପୂର୍ଣ୍ଣ ଅଟକାଇ ଦେଇଛି ଆନ୍ଧ୍ର । ଫଳରେ ଓଡ଼ିଶାରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ ଶୁଖିବାକୁ ବସିଛି । ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଶୀଘ୍ର ପଦକ୍ଷେପ ନନେଲେ ଆଗାମୀ ଦିନରେ କୂତ୍ରିମ ମରୁଡ଼ି ଦେଖାଯିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ଆନ୍ଧ୍ର, ବନ୍ଧ ନିର୍ମାଣ କରି ପାଣି ଅଟକାଇବା ନେଇ ଅବଗତ ଅଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଆଉ ଖୁବଶୀଘ୍ର ଗଜପତି ଜିଲ୍ଲାପାଳ, ଶ୍ରୀକାକୁଲମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ।

ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ମହେନ୍ଦ୍ରତନୟା ନଦୀ ଉପରେ ଆନ୍ଧ୍ରର ଦାଦାଗିରି ଆଗାମୀ ଦିନରେ ଉକ୍ରଟ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି ।