ପର୍ଯ୍ୟଟନ ଋୁତୁରେ ଆମିଷ ବଜାରରେ ଭିଡ । ମାଛ ପାଇଁ ଆନ୍ଧ୍ର ଭରସା, କୋରାପୁଟରେ ଗାଡି ଗାଡି ଆସୁଛି ବରଫ ଦିଆ ରୋହି, ଭାକୁର

150

କନକ ବ୍ୟୁରୋ : ଆମିଷ ବଜାରରେ ପ୍ରବଳ ଭିଡ଼ । କିଏ ପିକନିକ ପାଇଁ ଆମିଷ କିଣିବାକୁ ଆସିଛି ତ ଆଉ କିଏ ଘର ପାଇଁ । ସବୁଦିନ ଅପେକ୍ଷା ପର୍ଯ୍ୟଟନ ରୁତୁରେ ଆମିଷ ବଜାର ଭିଡ଼ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଗାଡ଼ି ଗାଡ଼ି ବରଫ ଦିଆ ମାଛ ଆନ୍ଧ୍ରରୁ ଜୟପୁର ବଜାରକୁ ଆସୁଛି । ମାଛକୁ ଅପେକ୍ଷା କରିଥିବା ବେପାରି ମଧ୍ୟ ଆବଶ୍ୟକ ମୁତାବକ ମାଛ ସବୁ କିଣି ନେଉଛନ୍ତି । ରୋହି, ଭାକୁର, ଚାନ୍ଦି, ମିରିକାଳି, ଭଳି ଅନେକ ପ୍ରଜାତିର ମାଛ ଓ କଙ୍କଡ଼ା ଭରି ରହିଛି । ଚାହିଦା ସାଙ୍ଗକୁ ବେପାର ମଧ୍ୟ ଭଲ ହେଉଛି । ହେଲେ ଏ ସବୁ ଆନ୍ଧ୍ରରୁ ଆସିଛି । ସ୍ଥାନୀୟ ଗ୍ରାହକ ଓ ବ୍ୟବସାୟୀ କୁହନ୍ତି ଆନ୍ଧ୍ରରୁ ମାଛ ନ ଆସିଲେ କୋର।।ପୁଟ ଜିଲ୍ଳାର ମାଛ ବଜାର ବନ୍ଦ ହୋଇଯିବ ।

ପ୍ରତିବର୍ଷ ଚାଷୀ ମାନଙ୍କୁ ନେଇ ସଚେତନା କରିବା ସହ ବନ୍ଧ ପୋଖରି ମଧ୍ୟ ଖୋଳାଯାଉଛି । ତଥାପି ଆଜି ବି କୋରାପୁଟ ଜିଲ୍ଲାକୁ ୧୫ ଟନ୍ରୁ ଅଧିକା ମାଛ ପ୍ରତିଦିନ ନ ଆସିଲେ ବଜାର ଚାଲୁନି । କେବଳ ଜୟପୁରକୁ ପ୍ରତିଦିନ ୭ ରୁ ୮ ଟନ ମାଛ ଦରକାର । ଜୟପୁରରୁ ଅବିଭକ୍ତ କୋରାପୁଟ ଜିଲ୍ଳାକୁ ମାଛ ସପ୍ଳାଇ ହେଉଛି । ଆନ୍ଧ୍ର ମାଛ ଚାଷ ପାଇଁ ଯେତିକି ଯୋଜନା କରୁଛି ଆଉ ଚାଷୀକୁ ଯେତିକି ସୁବିଧା ଦେଉଛି ଓଡ଼ିଶା ସରକର ସେତିକି ସୁବିଧା ଯୋଗାଉନାହାନ୍ତି ବୋଲି ମାଛ ବ୍ୟବସାୟୀଙ୍କ ଅଭିଯୋଗ    । ସେପଟେ ବର୍ତମାନ ସ୍ଥିତିରେ ପରିବର୍ତନ ହୋଇଛି । ସରକାର ଏହି ଚାଷକୁ ଆଗକୁ ବଢ଼ାଇବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି, । ଆଗକୁ ଆଉ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ମତ୍ସ୍ୟ ଅଧିକାରୀ ଜଣାଇଛନ୍ତି ।

ସରକାରୀ ସ୍ତରରେ ବାସ୍ତବ କ୍ଷେତ୍ରରେ ମାଛ ଚାଷ ପ୍ରତି ସମସ୍ତ ସାହାଯ୍ୟ ସୁବିଧା କରାଯାଇପାରିଲେ ଏହି ମାଛ ଚାଷୀ ଓ ବ୍ୟବସାୟୀ ମାନେ ଆନ୍ଧ୍ର ଉପରେ ନିର୍ଭର ନକରି ଓଡ଼ିଶାରେ ସବୁ କାର୍ଯ୍ୟ କରିପାରିବେ ।