ଓଡ଼ିଶାରେ ଆନ୍ଧ୍ର ହାତୀ ପଲ ଆତଙ୍କ । କେଉଁଠି ଘର ଭାଙ୍ଗୁଛନ୍ତି ତ କେଉଁଠି ଫସଲ କରୁଛନ୍ତି ନଷ୍ଟ ।

88

କନକ ବ୍ୟୁରୋ: ଓଡ଼ିଶାରେ ପଶିଲେ ଆନ୍ଧ୍ର ହାତୀ । ଘର ଭାଙ୍ଗିବା ସହ ଫସଲ କଲେ ନଷ୍ଟ । ଲଗାଣ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ନ ସରୁଣୁ ଏବେ ହାତୀ ଆଣିଛନ୍ତି ବିପଦ । ଆନ୍ଧ୍ରର ଏକ ହାତୀ ପଲ ଓଡ଼ିଶା ସୀମାରେ ପ୍ରବେଶ କରି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଦେଇଥିବା ଘଟଣା ସମ୍ନାକୁ ଆସିଛି । ଫଳରେ ସ୍ଥାନୀୟ ଲୋକମାନେ ଏବେ ଭୟରେ ଜୀବନ ଅତିବାହିତ କରୁଛନ୍ତି ।ସୂଚନା ମୁତାବକ କୋରାପୁଟ ଜିଲ୍ଳା ବନ୍ଧୁଗାଁ ବ୍ଳକରେ ଆନ୍ଧ୍ର ହାତୀପଲ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି । ଅନ୍ୟପଟେ ହାତୀପଲରେ ୪ଟି ଅଣ୍ଡିରା ଓ ୩ଟି ମାଈ ହାତୀ ରହିଛନ୍ତି । ବ୍ଳକର ଆଲମଣ୍ଡା ଚିକିଟିଲବ ସଂରକ୍ଷିତ ଜଙ୍ଗଲରେ ପଶିବା ପରେ ଖାଦ୍ୟ ଅନ୍ୱେଷଣରେ ଦିଗୁଭତ୍ରାପାଲି ଗାଁକୁ ଆସି ଘରଦ୍ୱାର ଭାଙ୍ଗି ଦେଇଥିଲେ ହାତୀପଲ । ଏହାସହ ହାତୀପଲ ବ୍ୟାପକ ପରିମାଣରେ ମକା ଫସଲ ନଷ୍ଟ କରିଛନ୍ତି ।ଏବେ ହାତୀପଲ ଜନବସତି ଆଡକୁ ଚାଲିଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ହାତୀପଲକୁ ଘଉଡ଼ାଇବା ପାଇଁ ବନବିଭାଗ କର୍ମଚାରୀ ଗାଁରେ ଡେରା ପକାଇ ଲଗାତାର ଉଦ୍ୟମ ଜାରି ରଖିଛନ୍ତି ।