ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି : କୋଟିଆରେ ତେଲୁଗୁରେ ନାମଫଳକ ଲଗାଇ ରାଜ୍ୟକୁ ଦେଲା ଚ୍ୟାଲେଞ୍ଜ

73

କନକ ବ୍ୟୁରୋ :  ମାସକ ତଳେ ଓଡ଼ିଶାର ଗାଁରେ ତେଲୁଗୁ ଭାଷାରେ ଫଳକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଓଡ଼ିଶାର କଡ଼ା ଆଭିମୁଖ୍ୟ ଯୋଗୁ ଶେଷ ମୁହୂର୍ତ୍ତରେ ଫଳକ ବିବାଦରୁ ଦୂରେଇ ଯାଇଥିଲେ ଆନ୍ଧ୍ରର ସାଲୁର ବିଧାୟକ । କିଛିଦିନର ନିରବତା ପରେ ପୁଣି ଫଳକ ଲଗାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଯାହାର ଉଦାହରଣ ସୋମବାର ଦିନ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଦେଖିବାକୁ ମିଳିଛି ।

ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପୂରା ବ୍ୟସ୍ତରେ ରହିଥିଲା। ଧନଜୀବନର ସୁରକ୍ଷା ପାଇଁ ଗତ ୪୮ଘଣ୍ଟା ଧରି ପୂରା ପ୍ରଶାସନ ଲାଗିଥିବା ବେଳେ ଏଭଳି ବିଷମ ପରିସ୍ଥିତିକୁ କିନ୍ତୁ ଆନ୍ଧ୍ର ସୁଯୋଗରେ ପରିଣତ କରିବାକୁ ଯୋଜନା କରିଥିଲା । ବାତ୍ୟା ସମୟରେ ସାଲୁର ବିଧାୟକ ନିଜ ସମର୍ଥକଙ୍କୁ ନେଇ କୋଟିଆ ଗ୍ରାମପୁଞ୍ଜରେ ପହଞ୍ଚିଥିଲେ । ଫାଟୁସେନେରୀ, ସଲପଗୁଡା, ଡୋଳିଆମ୍ବ ଓ କୋଟିଆରେ ତେଲୁଗୁ ଫଳକ ଲଗାଇ ଚୁପ୍‌ଚାପ୍‌ ଚାଲି ଯାଇଥିଲେ । ଏପରିକି କୋଟିଆବାସୀଙ୍କୁ ଆଗାମୀ ଦିନରେ ଫଗୁଣସିନେରୀ, ଫାଟୁସିନେରୀ ଅଞ୍ଚଳରେ ଏକାଧିକ କାର୍ଯ୍ୟକ୍ରମ କରିବେ‌ ବୋଲି କହିଥିବା ଜଣାପଡ଼ିଛି ।

କୋଟିଆବାସୀ ବାତ୍ୟାର ସମ୍ମୁଖୀନ ହୋଇଥିବାବେଳେ ଏମିତି ସମୟରେ ବିବାଦ ବଢ଼ାଇ ସାଲୁର ବିଧାୟକ କ’ଣ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି । ଜାଣିଶୁଣି ଏମିତି ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ମତପ୍ରକାଶ ପାଇଛି । ପ୍ରବଳ ବର୍ଷା ସହ ପବନର ପ୍ରଭାବରେ କୋଟିଆର କିଛି ଅଂଶ ପ୍ରଭାବିତ ହୋଇଛି । ମାଡ଼କାର ପୋଲ ଉପରେ ବନ୍ୟାଜଳ ପ୍ରଭାବିତ ହୋଉଛି। ଓଡ଼ିଶା ପଟୁ ଏହି ଅଞ୍ଚଳକୁ ଯିବା ସମ୍ଭବ ନ ଥିବା ବେଳେ ସୁଳିଆମାରି ପୋଲ ଉପରେ ବି ପାଣି ଚାଲୁଥିବାରୁ ସେପଟୁ ମଧ୍ୟ ଏହି ଅଞ୍ଚଳକୁ ପହଞ୍ଚିବା ସମ୍ଭବ ହୋଇପାରୁନି । ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇ ରହିଥିବା ଏହି ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏ ନେଇ ପଟାଙ୍ଗି ବିଧାୟକ ପୀତମ ପାଢ଼ୀ କହିଛନ୍ତି ଯେ ମଙ୍ଗଳବାର ଓଡ଼ିଶା ପକ୍ଷରୁ ଗୋଟିଏ ଟିମ୍‌ କୋଟିଆ ଯିବ ।

ଓଡ଼ିଶା ପକ୍ଷରୁ ବି ଅନେକ ସ୍ଥାନରେ ଓଡ଼ିଆ ଫଳକ ଲଗାଇବା ପାଇଁ ଯୋଜନା ହୋଇଛି । ଲୋକଙ୍କ ନିକଟରେ ରିଲିଫ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି । ସେହିପରି ଜିଲ୍ଲାପାଳ ଅମଦଲ୍‌ ଏମ୍‌. ଅଖତର କହିଛନ୍ତି ଯେ, କୋଟିଆବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଓଡ଼ିଶା ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଯଦି କେହି ବିବାଦ କରିବାକୁ ଉଦ୍ୟମ କରୁଛନ୍ତି, ସେଥିରେ ଆଦୌ ସଫଳ ହେବେନାହିଁ ।