କନକ ବ୍ୟୁରୋ: ଗୋଟିଏ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ରବିବାର ଦିନ ଆନ୍ଧ୍ରପ୍ରଦେଶ ନୂଆ ରେକର୍ଡ ସୃଷ୍ଟି କରିଛି। ଗତରାତି ୯ଟାରେ ଶେଷ ହୋଇଥିବା ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ସମଗ୍ର ରାଜ୍ୟରେ ଲୋକମାନଙ୍କୁ ୧୩,୪୫,୦୦୪ ଡୋଜ୍‌ ଟିକା ଦିଆଯାଇଛି । ଏହା ପୂର୍ବ ଦିନ ମଧ୍ୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ଆନ୍ଧ୍ରପ୍ରଦେଶ ରେକର୍ଡ ସୃଷ୍ଟି କରିଥିଲା।

Advertisment

ଏଥିସହ ୧କୋଟିରୁ ଅଧିକ ଆନ୍ଧ୍ରବାସୀଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇ ଆଉ ଏକ ସଫଳତା ମଧ୍ୟ ହାସଲ କରାଯାଇଛି। ଏକ ବିବୃତିରେ ରାଜ୍ୟ ସରକାର କହିଛନ୍ତି, ସନ୍ଧ୍ୟା ୮ଟା ସୁଦ୍ଧା ସମଗ୍ର ରାଜ୍ୟରେ ୧୩ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏହା ହେଉଛି ଜାତୀୟ ଟିକାକରଣ ଅଭିଯାନର ପ୍ରାୟ ୫୦%। ଏହା ଏକ ଉଲ୍ଲେଖନୀୟ ଘଟଣା। ଏଥିରୁ ଜଣାପଡୁଛି, ଭାରତ ସରକାର ଟିକା ଯୋଗାଇ ଚାଲିଲେ ଆମର ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଦୈନିକ ୧୦ ଲକ୍ଷ ଲୋକଙ୍କୁ ଟିକା ଦେଇ ପାରି‌ବେ।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ନିଜ ନିଜ ଜିଲ୍ଲାରେ ୧ ଲକ୍ଷ ଡୋଜ୍‌ରୁ ଅଧିକ ଟିକା ଦେବା ପାଇଁ ସବୁମତେ ଉଦ୍ୟମ କରିଥିବା ବିଶାଖାପାଟଣା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, କୃଷ୍ଣା ଏବଂ ଗଣ୍ଟୁରର ଜିଲ୍ଲାପାଳମାନଙ୍କୁ ବିଶେଷ ଶୁଭେଚ୍ଛା ଜ୍ଞାପନ କରୁଛୁ।

ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଆଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ କରିଥିଲା। ୪୫ ବର୍ଷରୁ ଊର୍ଦ୍ଧ୍ବ ଏବଂ ୫ ବର୍ଷରୁ କମ୍ ବୟସ୍କ ସନ୍ତାନସନ୍ତତି ଥିବା ମହିଳାମାନଙ୍କ ଉପରେ ଧ୍ୟାନ ଦିଆଯାଇ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ରାଜ୍ୟର ୧୩ଟିଯାକ ଜିଲ୍ଲାରେ ୨୦୦୦ରୁ ଅଧିକ ସ୍ଥାନରେ ସକାଳ ୬ଟାରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।