କନକ ବ୍ୟୁରୋ : ପ୍ରଥମ ଥର ଭାରତରେ ୫ଟି ଉପମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ହୋଇଛି ଆନ୍ଧ୍ରପ୍ରଦେଶ । ଆଜି ୫ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ । ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ୱାଇଏସଆର କଂଗ୍ରେସର ବିଧାୟକ ଦଳ ବୈଠକ କରିଥିଲେ । ବୈଠକରେ ସେ ୫ଟି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି କରିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକେଇ ଦେଇଛନ୍ତି । ୫ ଡେପୁଟୀ ସିଏମ ଫର୍ମୂଲା ପଛର କାରଣ ହେଉଛି, ସବୁ ବର୍ଗ, ଜାତିକୁ ସନ୍ତୁଷ୍ଟ କରିବା ସହ ସନ୍ତୁଳନ ରକ୍ଷା କରିବା । ଅନୁସୂଜିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଅଳ୍ପ ସଂଖ୍ୟକ ଓ କାପୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହେବେ ।ଏଥିସହ ଆନ୍ଧ୍ରର ରାୟଲସିମା, ପ୍ରକାଶମ, କୃଷ୍ଣା ଡେଲଟା, ଗୋଦାବରୀ, ଭାଇଜାଗରୁ ନିର୍ବାଚିତ ବିଧାୟକ ଉପମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ସୂଚନା ମିଳିଛି ।

Advertisment

publive-image

ବର୍ତ୍ତମାନ ସୁଦ୍ଧା ଦେଶର କୌଣସି ରାଜ୍ୟରେ ୫ ଉପମୁଖ୍ୟମନ୍ତ୍ରୀ ହୋଇନାହନ୍ତି । ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ପଛୁଆ ବର୍ଗ ଓ କାପୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ୟୁପିରେ ଯୋଗୀ ସରକାରଙ୍କ ୨ଟି ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଭାରତରେ ଏକରୁ ଅଧିକ ଉପମୁଖ୍ୟମନ୍ତ୍ରୀ ପରମ୍ପରା ରହିଥିବାବେଳେ ଏକାଥରକେ ୫ଟି ଉପମୁଖ୍ୟମନ୍ତ୍ରୀ ଘୋଷଣା କରି ଏହି ପରମ୍ପରାକୁ ଭଙ୍ଗ କରିଛନ୍ତି ଜଗନ ମୋହନ ରେଡ୍ଡୀ ।