କନକ ବ୍ୟୁରୋ : ଓଡ଼ିଶାରେ ପୁଣି ଆନ୍ଧ୍ରର ଦାଦାଗିରି । ଓଡ଼ିଶା ଭିତରକୁ ପଶି ବେଆଇନ ଭାବେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରୁଥିଲା ଆନ୍ଧ୍ର । ପୂର୍ବରୁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ । କିଛି ଦିନର ନିରବତା ପରେ ପୁଣି ଫାଗୁଣସିନେରୀରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାମ ଆରମ୍ଭ କରିଦେଇଥିଲା ଆନ୍ଧ୍ର । କିନ୍ତୁ ଏନେଇ ବ୍ଲକ ପ୍ରଶାସନ ପାଖରେ ଖବର ପହଂଚିବା ପରେ ପଟାଙ୍ଗୀ ବିଡିଓ, କୋଟିଆ ଏଏସଆଇ ଓ କୋଟିଆ ସରପଂଚ ସମେତ କିଛି ଅଧିକାରୀ ଫଗୁଣସିନେରୀରେ ପହଂଚି ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ । ଅଙ୍ଗନୱାର୍ଡି କେନ୍ଦ୍ର ପାଇଁ ଏଠାରେ ଘର ନିର୍ମାଣ କାମ ଚାଲିଥିଲା, ଯାହାକୁ ବନ୍ଦ କରାଯାଇଛି ।
ଗାଁରେ ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ରହିଛି । କୋଟିଆରେ ପ୍ରଶାସନିକ ତାଗିଦ ସତ୍ୱେ ବି ବାରମ୍ବାର ନିର୍ମାଣ କରୁଛି ଆନ୍ଧ୍ର ପ୍ରଶାସନ । କୋଟିଆକୁ ନିଜର ବୋଲି ଦର୍ଶାଇ ବାରମ୍ବାର ଅନୁପ୍ରବେଶ କରୁଛି ପଡୋଶୀ ଆନ୍ଧ୍ର । ଆନ୍ଧ୍ର ସରକାର ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ଗଠନ କରିବା ସହ ବିବାଦୀୟ କୋଟିଆ ପଂଚାୟତକୁ ପାର୍ବତୀପୁରମ ମାନ୍ୟମ ଜିଲ୍ଲାରେ ସାମିଲ କରିଛନ୍ତି । ପଛୁଆ ଜିଲ୍ଲାର ମାନ୍ୟତା ଦେଇ ଉଭୟ କେନ୍ଦ୍ର ଓ ନିଜ ରାଜ୍ୟର ସରକାରୀ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଆନ୍ଧ୍ର ସରକାର । ଏପରି ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଦିଆଯାଇଛି । ଏହାଦ୍ୱାରା ସୀମାନ୍ତ ଗାଁର ଲୋକେ ପ୍ରଭାବିତ ହେବେ ଏବଂ କୋଟିଆକୁ ଅକ୍ତିଆର କରିବାକୁ ସହଜ ହେବ ବୋଲି ଯୋଜନା ରଖିଛି ଆନ୍ଧ୍ର ।