ଆନ୍ଧ୍ରପ୍ରଦେଶର ମାଡ ହେଲା ଭୀଷଣ ବାତ୍ୟା ମିଗଜୋମ୍: ଘଂଟା ପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ବହିଲା ପବନ

620

କନକ ବ୍ୟୁରୋ: ମାଡ ହେଲା ବାତ୍ୟା । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଛି ‘ମିଗଜୋମ’ । ପ୍ରାୟ ଦୁଇ ଘଂଟା ଧରି ଜାରି ରହିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହାପରେ ବାତ୍ୟା ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ସମୁଦ୍ରରେ ଉଚ୍ଚ ଲହ. ପ୍ରବଳ ବର୍ଷା ଓ ପବନ ଦେଖିବାକୁ ମିଳିଛି । ଉପକୂଳ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ମିଗଜୋମ ପ୍ରଭାବ ଆନ୍ଧ୍ର ସହ ତେଲେଙ୍ଗାନା, ତାମିଲନାଡୁ ଓ ଓଡିଶାରେ ଦେଖିବାକୁ ମିଳିଛି । ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି । ଶହେରୁ ଅଧିକ ଟ୍ରେନ ଓ ୫୦ରୁ ଅଧିକ ବିମାନ ବାତିଲ ହୋଇଛି । ଆନ୍ଧ୍ରର ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ଏହି ସବୁ ଜିଲ୍ଲାରେ ଏନଡିଆରଏଫ ଓ ଏସଡିଆରଏଫର ଟିମ ନିୟୋଜିତ ଅଛନ୍ତି । ବର୍ଷା ଓ ବାତ୍ୟା ପାଇଁ ବନ୍ଦ ରହିଛି ସ୍କୁଲ ଓ କଲେଜ ।

ସୁ ସୁ ଗର୍ଜନ କରି ସ୍ଥଳଭାଗ ଅତିକ୍ରମ କରିଛି ଭୀଷଣବାତ୍ୟା ‘ମିଗଜୋମ’ । ଗୋଟିଏ ପଟେ ବଂଗୋପସାଗରର ଜଳରାଶି ବାତ୍ୟା ପ୍ରଭାବରେ ଅଶାନ୍ତ ହୋଇ ଘୁ ଘୁ ଗର୍ଜନ କରୁଥିଲା । ଆଉ ଗୋଟିଏ ପଟେ ପବନ ଓ ପ୍ରବଳ ବର୍ଷାକୁ ନେଇ ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଅତିକ୍ରମ କରୁଥିଲା ମିଗଜୋମ ।..

ଦିନ ପ୍ରାୟ ୧୧ଟା ୩୦
ସ୍ଥାନ-ବାପଟ୍ଲା, ଆନ୍ଧ୍ରପଦେଶ
କେନ୍ଦ୍ରୀୟ ବଂଗୋପସାଗରେ ସୃଷ୍ଟି ହୋଇଥିବା ଭୀଷଣବାତ୍ୟା ମିଗଜୋମ, ଆନ୍ଧପ୍ରଦେଶର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଘଂଟା ପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିଥିଲା । ବେଳେ ବେଳେ ପବନର ବେଗ ଘଂଟା ପ୍ରତି ୧୧୦ କିଲୋମିଟରରେ ପହଁଚିଥିଲା । ପ୍ରାୟ ଦୁଇ ଘଂଟା ଧରି ଜାରି ରହିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।

ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟା ମିଗଜୋମ ଧିରେ ଧିରେ ଦୁର୍ବଳ ହୋଇ ଆଗକୁ ବଢ଼ୁଛି । ତେବେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା ଓ ପବନ । ବିଶେଷକରି ଉପକୂଳ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ହେବା ଯୋଗୁଁ ତଳିଆ ଅଂଚଳରେ ଥିବା ଘର ଗୁଡିକରେ ପାଣି ପଶି ଯାଇଛି । ବିପଦଜନକ ଅବସ୍ଥାରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ମିଗଜୋମ ପ୍ରଭାବରେ ତାମିଲନାଡୁ ପରେ ଆନ୍ଧ୍ର ସହ ତେଲେଙ୍ଗାନା ଓ ଓଡିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ତେଲେଙ୍ଗାନା ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଳ୍ଲାରେ ବର୍ଷା ଆରମ୍ଭ ହୋଇଛି । ତେବେ ଏହାର ମୁକାବିଲ ପାଇଁ ରାଜ୍ୟ ସରକାରମାନଙ୍କ ପକ୍ଷରୁ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ବାତ୍ୟାକୁ ନଜରରେ ରଖି ଆନ୍ଧ୍ରପ୍ରଦେଶ ଦେଇ ଯାତାୟତ କରୁଥିବା ପ୍ରାୟ ୧୦୦ଟି ଟ୍ରେନ୍କୁ ବାତିଲ କରାଯାଇଛି । ସେହିପରି ଭାଇଜାଗ, ବିଜୟୱାଡା ଓ ତିରୁପତି ବିମାନବନ୍ଦରରୁ ଉଡୁଥିବା ୫୦ଟି ବିମାନକୁ ବାତିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ୍ନ ରେଡ୍ଡୀ ନିଜେ ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ତଥାପି ବାତ୍ୟାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।