ଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ : ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଚିତୁର ଓ କଡ୍ଡପା ଜିଲ୍ଲା

Advertisment
ଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ : ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଚିତୁର ଓ କଡ୍ଡପା ଜିଲ୍ଲା

କନକ ବ୍ୟୁରୋ : ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ଭୟାବହ ହୋଇଛି । ଗତ ୩ରୁ ୪ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଅନେକ ସ୍ଥାନ ଜଳମଗ୍ନ ହେବା ସହ ଅନେକ ଅଂଚଳରେ ଘରେ ପାଣି ପଶିଛି । ଏହାରି ଭିତରେ ଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ।

ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ଚିତୁର ଓ କଡ୍ଡପା ଜିଲ୍ଲାକୁ ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ଜଗନାମୋହନ । ତେବେ ତିରୁପତି ତିରୁମାଳା ଦେବସ୍ଥାନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅନେକ ଘରଦ୍ୱାର ଭୁଷୁଡି ପଡିଥିବା ସହ ଗାଈ ଗୋରୁ ଓ ଗାଡି ମୋଟର ବନ୍ୟା ପାଣିରେ ଭାସିଯାଇଛି । ବିଶେଷ କରି ତିରୁପତି ବାଲାଜୀଙ୍କ ମନ୍ଦିର ବେଢାରେ ବନ୍ୟା ପାଣି ପଶିଥିବାରୁ ବାଲାଜୀଙ୍କ ଦର୍ଶନ ବନ୍ଦ ରହିଥିଲା । ତେବେ କ୍ଷୟକ୍ଷତିର ଆକଳନ କରି କେନ୍ଦ୍ରକୁ ସହାୟତା ମାଗିବ ଆନ୍ଧ୍ର ସରକାର ।

ସେପଟେ, ରାମଚନ୍ଦ୍ରପୁରମ୍‌ଠାରେ ଥିବା ରାଜ୍ୟର ସର୍ବବୃହତ୍ ଜଳଭଣ୍ଡାର ରାୟାଲା ଚେରୁବୁରର ବନ୍ଧରେ ଫାଟ ଦେଖାଦେଇଛି । ଏଥିରୁ ପାଣି ଝରୁଛି । ଯେକୌଣସି ସମୟରେ ଆଖପାଖ ଗ୍ରାମରେ ପାଣି ପଶିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଲୋକଙ୍କୁ ସତର୍କ କରିବାରେ ଲାଗିଛି । ଅତ୍ୟାବଶ୍ୟକ ଏବଂ ମୂଲ୍ୟବାନ ସାମଗ୍ରୀ, କାଗଜପତ୍ର ଆଦି ନେଇ ଉଚ୍ଚସ୍ଥାନକୁ ଯଥାଶୀଘ୍ର ପଳାଇବା ପାଇଁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଘୋଷଣା କରାଯାଉଛି ।

ଜିଲ୍ଲାପାଳ ହରି ନାରାୟଣ, ଜିଲ୍ଲା ପୁଲିସ, ରାଜସ୍ବ ଏବଂ ଜଳସେଚନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତଳିଆ ଅଞ୍ଚଳର ସବୁଗ୍ରାମରୁ ଲୋକଙ୍କୁ ଖାଲି କରିବା ପାଇଁ ପରାମର୍ଶ ଦେଇଛନ୍ତି। ଜଳଭଣ୍ଡାରରେ ୦.୯ ଟିଏମସିର ଜଳ ରହିଛି। ଜଳଭଣ୍ଡାର ଉପର ଦେଇ ଜଳ ପ୍ରବାହିତ ହେଉଛି। ବନ୍ଧ ଯେଭଳି ନଭାଙ୍ଗିବ ସେଥିପାଇଁ ଇଂଜିନିୟରଙ୍କ ପରାମର୍ଶ ପ୍ରଶାସନ ନେଉଛି । ରାୟଲସୀମା ଅଞ୍ଚଳରେ ଦେଖାଦେଇଥିବା ଏହି ବନ୍ୟା ଯୋଗୁ ଅତିକମ୍‌ରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe